ମୁରିବାହାଲ, (୨୧/୦୬) : ଆପ୍ର : ଆନ୍ତର୍ଜାତିକ ଯୋଗ ଦିବସ ଅବସରେ ରବିବାର ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ପରିସରେ ବ୍ଲକ୍ ସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।
ବିଡ଼ିଓ ବାସନ୍ତୀ ସେଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ବିଇଓ ଶାନ୍ତନୁ କୁମାର ପଢିହାରୀ, ସିଡିପିଓ ପୁର୍ଣିମା ବୈଠାରୁ, ଜିପିଡିଓ ପ୍ରସନ୍ନ ନାଗ, ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ ନାଗ ପ୍ରମୁଖ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ଏହି ଅବସରେ ବ୍ଲକର ବହୁ ଅଧିକାରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଯୋଗ ପ୍ରଶିକ୍ଷକ ବନବିହାରୀ ଯୋଶୀ ସମସ୍ତଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଶିକ୍ଷଣ ଦେଇଥିଲେ। ସେ କହିଲେ ଯେ, “ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରିବାର ଏକ ଉତ୍କୃଷ୍ଟ ମାଧ୍ୟମ । ଦୈନ୍ଦିନ ଜୀବନରେ ଯୋଗକୁ ସାମିଲ କଲେ ଆମେ ନିରୋଗ ଓ ସକ୍ରିୟ ଜୀବନ ବିତାଇପାରିବା ।” ଶେଷରେ ସମସ୍ତ ଉପସ୍ଥିତ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅତିଥିମାନେ ନିୟମିତ ଯୋଗାଭ୍ୟାସ କରିବା ସହ ସୁସ୍ଥ ସମାଜ ଗଠନରେ ସହଯୋଗ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ । ସେହିପରି ମୁରିବାହାଲ ସଦର ପଞ୍ଚାୟତ ସରପଞ୍ଚ ବିଶ୍ୱବିହାରୀ ଯୋଶୀଙ୍କ ତତ୍ୱାବଧାନରେ ଗାଁ ସାଥି ଯାଜ୍ଞସେନୀ ନିଆଲଠାରେ କାମ ଚାଲିଥିବା ସମୟରେ ଶ୍ରମିକମାନଙ୍କୁ ଯୋଗ ଶିକ୍ଷା ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

