ଭୁବନେଶ୍ୱର, (୨୫/୧୦) : ଆପ୍ର : ଆଜି ହେଉଛି ଆଶ୍ବିନ ମାସର ଶେଷ ଦିନ ପୂର୍ଣ୍ଣମୀ ତିଥି । କାଲିଠାରୁ ଆରମ୍ଭ ହେବ ପବିତ୍ର ମାସ କାର୍ତ୍ତିକ ।
ଆଜିର ଦିନକୁ କୁଆଁରୀ ଝିଅମାନେ କୁମାର ପୂର୍ଣ୍ଣିମା ଭାବରେ ପାଳନ କରୁଛନ୍ତି । ଏହାକୁ ଓଡିଶାର କୁଆଁରୀ ଝିଅ ମାନଙ୍କ ଏକ ଗଣପର୍ବ କହିଲେ ଅତ୍ଯୁକ୍ତି ହେବ ନାହିଁ। କାରଣ ସାରା ଓଡିଶାରେ ଏହି ଦିନଟିକୁ କୁଆଁରୀ ଝିଅ ମାନେ ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଏହି ପର୍ବରେ ଯୁବତୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରି ନୂଆ ପୋଷାକ ପିନ୍ଧନ୍ତି । ଏହାପରେ ସୂର୍ଯ୍ୟଦେବଙ୍କୁ ଖଇ, ଫଳମୂଳ ଓ ବିଭିନ୍ନ ପୂଜା ସାମଗ୍ରୀ ଅର୍ପଣ କରିଥାନ୍ତି। ଏହି ପରମ୍ପରାକୁ ଅଞ୍ଜୁଳି ଟେକା ବୋଲି କୁହାଯାଏ । ସନ୍ଧ୍ୟା ହେଲେ ଆକାଶରେ ଜହ୍ନ ଉଇଁବାକୁ ସମସ୍ତଙ୍କ ଅପେକ୍ଷା । ପୂର୍ଣ୍ଣଚନ୍ଦ୍ରଙ୍କୁ ଦର୍ଶନ କରି ଯୁବତୀମାନେ ଚନ୍ଦ୍ର ପୂଜା କରନ୍ତି ।
ପୂଜାରେ ମୁଖ୍ୟତଃ ‘ଚନ୍ଦ୍ର ଚକଟା’ ଏବଂ ‘ମୁଣ୍ଡ ପିଠା’ (ଚନ୍ଦ୍ର ମୁଣ୍ଡ) ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଏ। କିନ୍ତୁ ଏହାର ରହିଛି କିଛି ଭିନ୍ନତା । କିଛି ସ୍ଥାନରେ ଏହାକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଉଥିବା ବେଳେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାର କିଛି ଅଂଶରେ ଆଜିର ଦିନକୁ ଜହ୍ନି ଓଷା ରୂପେ ପାଳନ କରାଯାଏ । ଉତ୍ତର ପୂର୍ବ ଓଡିଶାର କୁଆଁରୀ ଝିଅମାନେ ପୂର୍ଣ୍ଣମୀର ପାଞ୍ଚ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ପୂର୍ବକ ସତ୍ତ୍ବିକ ରହି ପାଳନ କରୁଥିବା ସ୍ଥଳେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଝିଅମାନେ ଦୀର୍ଘ ଏକ ମାସ ପୂର୍ବରୁ ସାତ୍ତ୍ଵିକ ରହି ଆଜି ଦିନରେ ଏହାର ପୂର୍ଣ୍ଣାହୂତି ଦିଅନ୍ତି ।
ବିଶ୍ୱାସ ରହିଛି କାଳେ ଏହି ଓଷା କଲେ କୁଆଁରୀ ଝିଅମାନେ ମନଲାଖୀ ବର ପାଇଥାନ୍ତି । କିନ୍ତୁ ଲୋକକଥା ଅନୁଯାୟୀ ଏହି ଓଷା, ଝିଅମାନେ ନିଜ ଭାଇମାନଙ୍କ ଶୁଭ ମନାଷୀ କରିଥାନ୍ତି । ତେବେ ସିଏ ଯାହା ହେଉନା କାହିଁ, ଏହା ଓଡିଆ ଘରର ଏକ ପ୍ରାଚୀନ ପରମ୍ପରା । ଏହି ସମୟରେ ଅନେକ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ଆରମ୍ଭ ହୋଇଥାଏ ।

