Homelocalନଭେମ୍ବର ୨୭ରୁ ମୟୂରଭଞ୍ଜ ଜୀବନ୍ତ ଐତିହ୍ୟ ମହୋତ୍ସବ : ଏକାଠି ହେବେ ଦେଶବିଦେଶର କଳାକାର

ନଭେମ୍ବର ୨୭ରୁ ମୟୂରଭଞ୍ଜ ଜୀବନ୍ତ ଐତିହ୍ୟ ମହୋତ୍ସବ : ଏକାଠି ହେବେ ଦେଶବିଦେଶର କଳାକାର

ବାରିପଦା, (୨୧/୧୧) : ଆପ୍ର : ମୟୂରଭଞ୍ଜର ସମୃଦ୍ଧ କଳା, ସଂସ୍କୃତି ଓ ପାରମ୍ପରିକ ଐତିହ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଯାଉଛି ମୟୂରଭଞ୍ଜ ଜୀବନ୍ତ ଐତିହ୍ୟ ମହୋତ୍ସବ ।

ଚଳିତ ମାସ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ବାରିପଦାସ୍ଥିତ ବେଲଗଡ଼ିଆ ଐତିହାସିକ ପ୍ୟାଲେସ ପରିସରରେ ତିନିଦିନିଆ ଏହି ମହୋତ୍ସବ ଅନୁଷ୍ଠିତ ହେବ । ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନର ସହଯୋଗରେ କଣ୍ଟାକ୍ଟ ବେସ୍ ଏବଂ ବାଙ୍ଗଲା ନାଟକ ଡଟ୍ କମ୍ ପକ୍ଷରୁ ଏହି ମହୋତ୍ସବର ଆୟୋଜନ କରାଯାଉଛି । ଜିଲ୍ଲାର ଲୋକନୃତ୍ୟ, ସଂଗୀତ, ହସ୍ତଶିଳ୍ପ ଓ ପାରମ୍ପରିକ କଳାକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ସହ କଳାକାରମାନଙ୍କୁ ନୂତନ ପରିଚୟ ଓ ବଜାର ସୁଯୋଗ ଦେବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବାଙ୍ଗଲା ନାଟକ ଡଟ୍ କମ୍ ଓ କଣ୍ଟାକ୍ଟ ବେସ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାଞ୍ଜନ ରାୟ ଚୌଧୁରୀ, ମୁଖ୍ୟ ପ୍ରବନ୍ଧକ ପ୍ରବୀର ବେନାର୍ଜୀ, ଅଭିପ୍ସା ଘୋଷ, ଛଉ ଗୁରୁ ଲୋକନାଥ ଦାସ ଏବଂ ଛଉ ଗବେଷକ ସୁଧୀର କୁମାର ନାୟକ ଉପସ୍ଥିତ ରହି ମହୋତ୍ସବର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ । ଆୟୋଜକଙ୍କ ସୂଚନା ଅନୁଯାୟୀ, କଣ୍ଟାକ୍ଟ ବେସ୍ ପକ୍ଷରୁ ମୟୂରଭଞ୍ଜର ୧୬୦୦ରୁ ଅଧିକ କଳାକାରଙ୍କ ସହ କାର୍ଯ୍ୟ କରାଯାଇଛି ।

ଏହି ପ୍ରକଳ୍ପ ମାଧ୍ୟମରେ ସବାଇ ଘାସ ଶିଳ୍ପ, ଢୋକ୍ରା କଳା, ବାଉଁଶ କାରିଗରୀ, କାଶୀ ଘାସରେ ତିଆରି ସାମଗ୍ରୀ ଏବଂ ମୟୂରଭଞ୍ଜ ଛଉ ନୃତ୍ୟ ସହ ଜଡ଼ିତ କଳାକାରମାନଙ୍କୁ ଦକ୍ଷତା ବିକାଶ, ଡିଜାଇନ ପ୍ରସ୍ତୁତି ଓ ବଜାର ସଂଯୋଗ କ୍ଷେତ୍ରରେ ସହଯୋଗ ଯୋଗାଇ ଦିଆଯାଇଛି । ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ ହେବ ଦେଶବିଦେଶର କଳାକାରଙ୍କ ସମାଗମ । ସ୍ପେନ୍ ଓ ଯୁକ୍ତରାଜ୍ୟର କଳାକାରମାନେ ମୟୂରଭଞ୍ଜ ଓ ବଙ୍ଗଳାର ପାରମ୍ପରିକ କଳାକାରଙ୍କ ସହ ମିଶି ବିଭିନ୍ନ କଳା ପରିବେଷଣ କରିବେ । ଏଥିସହ ପୂର୍ବ ଭାରତର ତିନୋଟି ସ୍ୱତନ୍ତ୍ର ଛଉ ପରମ୍ପରା ଯଥା ମୟୂରଭଞ୍ଜ, ପୁରୁଲିଆ ଓ ସରାଇକେଲା ଛଉକୁ ଗୋଟିଏ ମଞ୍ଚରେ ଦେଖିବାର ସୁଯୋଗ ମିଳିବ ।

୨୭ ତାରିଖରେ ସ୍ପେନ୍‌ର ‘ଲା ଫୁରିଆ ଡେ ଲୋସ୍ ପାଜାରୋସ୍’ ଏବଂ ବାରିପଦାର ‘ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ମିଳିତ କଳା ପରିବେଷଣ କରାଯିବ। ସେହିପରି ସ୍ପେନ୍‌ର କଳାକାର ଓ ପୁରୁଲିଆ ଛଉ ଦଳଙ୍କ ମିଳିତ ପ୍ରଦର୍ଶନ ମଧ୍ୟ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ରହିବ । ୨୮ ତାରିଖରେ ଯୁକ୍ତରାଜ୍ୟର କଳାକାରମାନେ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ଆସନ୍ତା ୨୭ ତାରିଖ ଅପରାହ୍ନ ୩ଟାରେ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବ ହେବ । ୨୮ ଓ ୨୯ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ । ତେବେ ମୟୂରଭଞ୍ଜର ଗୌରବମୟ କଳା ଓ ସଂସ୍କୃତିର ଏହି ଅନନ୍ୟ ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ଆୟୋଜକଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments