ଭୁବନେଶ୍ୱର, (୨୭/୧୦) : ଆପ୍ର : ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ । ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ରେଡ୍ ଆଲର୍ଟ ଜାରି । ୨୮ ପୂର୍ବାହ୍ନରେ ୟାନାମ୍ ନିକଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା ।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଅଧିକ ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ ତରଫରୁ ଆଜି ଭୋର ସମୟରେ ଜାରି ହୋଇଥିବା ସଦ୍ୟତମ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ସର୍ବୋଚ୍ଚ ସତର୍କତା ଭାବେ ‘ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟାଟି ଆସନ୍ତା ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ୟାନାମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ପ୍ରବଳ ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଏହି ଝଡ଼ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା । ବର୍ତ୍ତମାନ ଗୋପାଳପୁରଠାରୁ ପ୍ରାୟ ୩୮୦ କି.ମି. ଦକ୍ଷିଣ, ବିଶାଖାପାଟଣାଠାରୁ ପ୍ରାୟ ୩୦୦ କି.ମି. ଦକ୍ଷିଣ-ପୂର୍ବ, କାକିନାଡ଼ାଠାରୁ ପ୍ରାୟ ୩୬୦ କି.ମି. ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟ୍ଟନମ୍ ଠାରୁ ପ୍ରାୟ ୪୬୦ କି.ମି. ପୂର୍ବ ଓ ବାପଟ୍ ଲାଠାରୁ ପ୍ରାୟ ୫୩୦ କି.ମି. ପୂର୍ବରେ ରହିଛି ଅର୍ଣ୍ଣବ ।
ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ‘ଅର୍ଣ୍ଣବ’ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ନିଜର ଗତି ଜାରି ରଖିବ । ସନ୍ଧ୍ୟା ପରେ ଏହା ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ । ୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ଏହା ଏକ ‘ଅତି ଭୀଷଣ ବାତ୍ୟା’ ଭାବେ ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳର ବାପଟ୍ ଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ, ୟାନାମ୍ ନିକଟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ବେଳେ ଉପକୂଳରେ ନିରନ୍ତର ପବନର ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିବ ଏବଂ ଝଟକା ପବନର ବେଗ ସର୍ବାଧିକ ୧୪୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।
ଯଦିଓ ବାତ୍ୟାର ମୁଖ୍ୟ ଲ୍ୟାଣ୍ଡଫଲ୍ ଆନ୍ଧ୍ରପ୍ରଦେଶ ଉପକୂଳରେ ହେବାକୁ ଯାଉଛି, ତଥାପି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହିତ ପ୍ରବଳ ବେଗରେ ପବନ ବହିବାର ଆଶଙ୍କା ରହିଛି । ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ୧୨୫ ରୁ ୧୩୫ କିମି ଝଟକା ୧୫୦ କିମି ଯାଏଁ ରହୁଛି । ବର୍ତ୍ତମାନ ବିଶାଖାପାଟନମ ରାଡାରରେ ଦୃଶ୍ୟ ମାନ ହେଉଛି ବାତ୍ୟା ଅର୍ଣ୍ଣବର ଆଖି ।

