ଭୁବନେଶ୍ୱର, (୧୩/୧୧) : ଆପ୍ର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ବ୍ୟବସ୍ଥା ଘନୀଭୂତ ହେବାକୁ ଯାଉଛି ।
ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି କାଲି ସୁଦୃଶ୍ୟ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ । ତେବେ ସବୁଠାରୁ ବଡ଼ ପ୍ରଶ୍ନ, ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ? ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଆସନ୍ତା କିଛି ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ନଭେମ୍ବର ୧୯ ସକାଳ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ଧରଣର ବର୍ଷା ସମ୍ଭାବନା ଦର୍ଶାଯାଇନାହିଁ ।
ଲଘୁଚାପ ଘନୀଭୂତ ହେଲେ ମଧ୍ୟ ରାଜ୍ୟ ଉପରେ ତତ୍କାଳ କୌଣସି ବଡ଼ ପ୍ରଭାବ ଆଶଙ୍କା କରାଯାଉନାହିଁ । ଏହି ପାଣିପାଗ ବ୍ୟବସ୍ଥା ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ହେବା ଆଶଙ୍କାରେ ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ନଭେମ୍ବର ୧୭ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ନଯିବା ପାଇଁ ସତର୍କ କରାଯାଇଛି ।
ଏପଟେ ଓଡ଼ିଶାରେ ଶୀତର ପ୍ରଭାବ ମଧ୍ୟ ଅନୁଭୂତ ହେଉଛି । ଗୁରୁବାର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ଜି. ଉଦୟଗିରିରେ ୧୨.୫ ଏବଂ ନବରଙ୍ଗପୁରରେ ୧୩.୫ ଡିଗ୍ରୀ ରହିଥିଲା । ବାତ୍ୟା ଅର୍ଣ୍ଣବ ଓ ମୁରାସୁ ପରେ ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ବ୍ୟବସ୍ଥାର ସମ୍ଭାବନା ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ନଜର ରଖିବାର ବିଷୟ ହୋଇଛି । ତେବେ ଏବେ ଓଡ଼ିଶା ପାଇଁ ବଡ଼ ବିପଦର ସୂଚନା ନଥିବା ବେଳେ ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହି ବ୍ୟବସ୍ଥାର ତୀବ୍ରତା ଓ ଗତିପଥ ଉପରେ ନଜର ରହିବ ।

