ରାୟଗଡା, (୨୭/୧୦) : ଆପ୍ର : ଗୁଜରାଟର ଏକତା ନଗରଠାରେ ଅକ୍ଟୋବର ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ ପାଳନ ନିମନ୍ତେ ରାୟଗଡା ରେଳ ଷ୍ଟେସନଠାରୁ ୧୬୦ ଜଣ ପ୍ରତିନିଧିଙ୍କ ଯାତ୍ରାକୁ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରତିନିଧିମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ । ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ପ୍ରତ୍ୟେକ ୫୦ ଜଣ ଲେଖାଏଁ ପ୍ରତିନିଧି ଏବଂ ମୋଟ ୧୦ ଜଣ ନୋଡାଲ୍ ଅଧିକାରୀ ଏହି ଜାତୀୟ ସ୍ତରୀୟ ଉତ୍ସବରେ ଯୋଗଦେବା ପାଇଁ ଯାତ୍ରା କରିଛନ୍ତି । ଏହିପରି ମୋଟ ୧୬୦ ଜଣ ପ୍ରତିନିଧି ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ରେ ଏକତା ନଗର ଅଭିମୁଖେ ଯାତ୍ରା କରିଛନ୍ତି ।
ଏହି ଅବସରରେ ଓଡ଼ିଶାରୁ ପ୍ରାୟ ୧,୦୦୦ ଜଣ ପ୍ରତିନିଧି ଏକତା ନଗର ଗସ୍ତ କରି ଉତ୍ସବରେ ଅଂଶଗ୍ରହଣ କରିବେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି ଉତ୍ସବ ଜାତୀୟ ଏକତା, ଅଖଣ୍ଡତା ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ସହ ଶାନ୍ତି, ସୁରକ୍ଷା, ଜାତୀୟ ସଂହତି ଓ ସମାବେଶୀ ବିକାଶର ଗୁରୁତ୍ୱକୁ ପ୍ରତିପାଦିତ କରିବ ଏବଂ ‘ନକ୍ସଲମୁକ୍ତ ଭାରତ’ ଗଠନର ଲକ୍ଷ୍ୟକୁ ସୁଦୃଢ଼ କରିବ ।
ଏହି ଅବସରରେ ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, SDC ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସବର, SDC ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ସମାଜସେବୀମାନେ ଉପସ୍ଥିତ ଥିଲେ । କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କ ରହଣି ପାଇଁ ରାୟଗଡା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପରେ ଏବଂ ରାୟଗଡା ଜିଲ୍ଲାର ପ୍ରତିନିଧିମାନଙ୍କ ପାଇଁ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା ।

