ଭୁବନେଶ୍ୱର, (୧୯/୧୧) : ଆପ୍ର : ବାତ୍ୟା ଅକଭାନ୍କୁ ନେଇ ବଢ଼ିଲା ସତର୍କତା । ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କାରେ ରାଜ୍ୟର ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି । ୬ଟି ଜିଲ୍ଲାରେ ତିନି ଦିନ ପାଇଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ସୂଚନା ଅନୁସାରେ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ଼ ଓ କୋରାପୁଟ ଜିଲ୍ଲାରେ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।
ଅନ୍ୟପଟେ ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ୨୦ ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା ହୋଇଛି । ବାତ୍ୟା ଅକଭାନ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଯାତାୟାତ ସମୟରେ କୌଣସି ଅଘଟଣ ନଘଟିବା ପାଇଁ ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ତେବେ ପାଣିପାଗ ପରିସ୍ଥିତି ଓ ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ଉପରେ ନଜର ରହିଛି । ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଜିଲ୍ଲା ପ୍ରଶାସନର ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି ।

