ଭୁବନେଶ୍ୱର, (୧୯/୧୧) : ଆପ୍ର : ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର୍ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ ।
ରାଜଧାନୀର ସିଆରପି ଛକରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ହେଉଛନ୍ତି ବଳରାମ ବେଉରା । ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବଳରାମ ବାଇକ୍ ଯୋଗେ ଯାଉଥିବା ସମୟରେ ସିଆରପି ଛକ ନିକଟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । କାର୍ର ଧକ୍କା ଏତେ ଜୋର୍ ଥିଲା ଯେ, ଏଥିରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହଠାତ୍ ଉତ୍ତେଜନା ଦେଖାଦେଇଥିଲା ।
ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ବଳରାମଙ୍କ ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ, ଏହି ଦୁର୍ଘଟଣା ଘଟଣାରେ ପୋଲିସ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, କାର୍ର ଗତି କେତେ ଥିଲା ଏବଂ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଚଳାଇଛି ।

