ଗୁଣପୁର, (୨୦/୬) : ଆପ୍ର : ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ପରିସରରେ ଜିଲ୍ଲା ସ୍ତରୀୟ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଗୁଣପୁର ଶ୍ରୀ ଶୁଭ୍ରସ୍ମିତ ରାଉତ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ବୈଜ୍ଞାନିକ ଓ ମୂଖ୍ୟ କୃଷି ବିଜ୍ଞାନ କେନ୍ଦ୍ର (ରାୟଗଡ଼ା) ଡ଼ଃ ଅରବିନ୍ଦ ଦାସ , ଉଦ୍ୟାନ କୃଷି ଉପନିର୍ଦ୍ଦେଶକ (ରାୟଗଡ଼ା) ଶ୍ରୀ ଜଗନ୍ନାଥ ବିନ୍ଧାଣି , ନିର୍ବାହୀ ଯନ୍ତ୍ରୀ (କୃଷି) ତଥା ଜିଲ୍ଲା ପରିଚାଳକ (APICOL , ରାୟଗଡ଼ା) ଶ୍ରୀ ସନ୍ତୋଷ କୁମାର ମିଶ୍ର , ଉପଖଣ୍ଡ ସ୍ତରୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଆଲୋକ କୁମାର ଆଚାର୍ଯ୍ୟ , ଜିଲ୍ଲା କୃଷି ଅଧିକାରୀ (ମୁନିଗୁଡା) ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଆସିଥିବା ଅଗ୍ରଣୀ କୃଷକ , କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀ , କୃଷି ବୈଜ୍ଞାନିକ , କୃଷି ସମ୍ପ୍ରସାରଣ କର୍ମଚାରୀ ଓ ଅନ୍ୟାନ୍ୟ କୃଷି ସହଯୋଗୀ ମାନେ ଯୋଗଦେଇଥିଲେ । ଜିଲ୍ଲା କୃଷି ଅଧିକାରୀ ଗୁଣପୁର , ଶ୍ରୀ ଦିଵ୍ୟ ସ୍ବରୂପ ପଣ୍ଡା ସ୍ବାଗତ ଅଭିଭାଷଣ ରଖିବା ସହ ଏହି କର୍ମଶାଳାର ମୂଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଵିଶେଷଜ୍ଞ ମାନେ କୃଷକ ମାନଙ୍କୁ ରାସାୟନିକ ନିର୍ଭରତା କମାଇ ପ୍ରାକୃତିକ ଉପାୟରେ କୃଷି କରିବା , ମାଟିର ଜୈବିକ ଗୁଣବତ୍ତା ବଜାୟ ରଖିବା ଏବଂ ସୁସ୍ଥ ଓ ବିଷ ମୁକ୍ତ କୃଷି ଉତ୍ପାଦନ ଦିଗରେ ଚାଷ ପାଇଁ ପରାମର୍ଶ ଦେଇଥିଲେ ।
କୃଷକମାନେ ମଧ୍ୟ ନିଜ ଅନୁଭୂତି ଓ ସମସ୍ୟା ଉପସ୍ଥାପନ କରିଥିଲେ ଓ ବିଶେଷଜ୍ଞ ମାନେ ସେଗୁଡିକ ର ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଇତି ଅବସରରେ ପ୍ରାକୃତିକ ଓ ଜୈବିକ କୃଷିରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିଲ୍ଲାର ୪ ଜଣ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ (ରାୟଗଡ଼ା) ଶ୍ରୀ ଶେଖ ଅହସାନ୍ ଙ୍କ ସଭାପତିତ୍ବରେ ଉକ୍ତ କର୍ମଶାଳାଟି ଆୟୋଜିତ ହୋଇଥିଲା । ସୁଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ ( ସହକାରୀ କୃଷି ଯନ୍ତ୍ରୀ, ରାମନାଗୁଡା) ମଞ୍ଚ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ । ପରିଶେଷରେ ଡ଼ଃ ନାରମ ରାମୁ (କ୍ଷେତ୍ର ବିଜ୍ଞାନ) କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

