ଭୁବନେଶ୍ୱର, (୨୩/୧୧) : ଆପ୍ର : କାଲିଠୁ ଐତିହାସିକ ବାଲିଯାତ୍ରା । ଏଥର ଉଦଘାଟନ କରିବେ ରାଷ୍ଟ୍ରପତି । ବାଲିଯାତ୍ରା ପାଇଁ ସଜେଇ ହେଉଛି କଟକ ।
ପ୍ରଥମଥର ରାଷ୍ଟ୍ରପତି କରିବେ ଉଦଘାଟନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଟକରେ ପ୍ରସ୍ତୁତି, ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ନଜର । ଆସନ୍ତାକାଲିଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏଥର ବାଲିଯାତ୍ରାର ଆକର୍ଷଣ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତି । ପ୍ରଥମଥର ପାଇଁ ଦେଶର ରାଷ୍ଟ୍ରପତି କଟକ ବାଲିଯାତ୍ରାକୁ ଉଦ୍ ଘାଟନ କରିବେ । ଏଥିପାଇଁ ସିଲଭର ସିଟି କଟକରେ ଚାଲିଛି ଜୋରଦାର ପ୍ରସ୍ତୁତି । ମହାନଦୀ କୂଳରେ ଆୟୋଜିତ ହେବାକୁ ଥିବା ଏହି ବିଶାଳ ମେଳାକୁ ନେଇ ବ୍ୟବସାୟୀ, ଦର୍ଶକ ଓ ସହରବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି । କାର୍ତ୍ତିକ ପୂର୍ଣ୍ଣିମାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠଦିନ ଧରି ଚାଲିବ ବାଲିଯାତ୍ରା । ଚଳିତବର୍ଷ ପ୍ରାୟ ୬୦ ଏକର ଜମିରେ ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ମେଳା ଆୟୋଜନ କରାଯାଉଛି । ୧୮୦୦ରୁ ଅଧିକ ଷ୍ଟଲ୍ ସ୍ଥାପନ ପାଇଁ ଯୋଜନା ରହିଛି ।
ହସ୍ତଶିଳ୍ପ, ହସ୍ତତନ୍ତ, ଘରକରଣା ସାମଗ୍ରୀ, ବିଭିନ୍ନ ଖାଦ୍ୟ ଷ୍ଟଲ୍ ଓ ମନୋରଞ୍ଜନ ବ୍ୟବସ୍ଥା ଦର୍ଶକଙ୍କୁ ଆକର୍ଷିତ କରିବ । ଏଥର ରାଷ୍ଟ୍ରପତିଙ୍କ ବାଲିଯାତ୍ରା ଗସ୍ତରେ ରହିଛି ଏକ ସ୍ୱତନ୍ତ୍ର ଆକର୍ଷଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଲଭର ସିଟି ବୋଟ୍ କ୍ଲବ୍ ରୁ ଡଙ୍ଗାରେ ମହାନଦୀ ପାର ହୋଇ ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ । ଏଥିପାଇଁ ‘କଳିଙ୍ଗ ତରଙ୍ଗିଣୀ’ ନାମକ ଡଙ୍ଗାକୁ ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତିଙ୍କ ଡଙ୍ଗା ସହ ସାତଟି ସୁରକ୍ଷା ଡଙ୍ଗା ରହିବ । ଭାରତୀୟ ନୌସେନା, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ କୁ ନେଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉଛି । ରାଷ୍ଟ୍ରପତି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ କଟକ ଗସ୍ତ କରିବେ । ସନ୍ଧ୍ୟା ୫ଟାରୁ ରାତି ୮ଟା ୧୫ ମିନିଟ୍ ପର୍ଯ୍ୟନ୍ତ କଟକରେ ତାଙ୍କର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ‘କଟକ ଇନ୍ କଟକ’ ପ୍ରଦର୍ଶନୀ ଉଦ୍ ଘାଟନ କରିବା ପରେ ମୁଖ୍ୟ ମଞ୍ଚରୁ ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ କରିବେ ।
ଉଦ୍ ଘାଟନୀ ଉତ୍ସବରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି । ବାଲିଯାତ୍ରା ପଡ଼ିଆର ପାଞ୍ଚ କିଲୋମିଟର ପରିଧିକୁ ନଭେମ୍ବର ୨୨ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଡ୍ରୋନ୍ ଉଡ଼ାଣ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶାସନ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛି । ଚଳିତବର୍ଷ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।
ଦୁଇଟି ସାଂସ୍କୃତିକ ମଞ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସ୍ଥାନୀୟ କଳାକାରଙ୍କୁ ପ୍ରାଥମିକତା ଦିଆଯିବା ସହ ଓଡ଼ିଶାର ପାରମ୍ପରିକ କଳା, ସଂସ୍କୃତି ଓ ନୌବାଣିଜ୍ୟ ଐତିହ୍ୟକୁ ପ୍ରଦର୍ଶିତ କରାଯିବ । ବାଲିଯାତ୍ରା କେବଳ ଏକ ବାଣିଜ୍ୟିକ ମେଳା ନୁହେଁ, ବରଂ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସର ପ୍ରତୀକ । ଏକଦା କଳିଙ୍ଗର ସାଧବପୁଅମାନେ ବୋଇତରେ ବାଲି, ଜାଭା ଓ ସୁମାତ୍ରା ଭଳି ଦୂରଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ସେହି ଐତିହାସିକ ପରମ୍ପରାକୁ ମନେ ପକାଇବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ କଟକରେ ବାଲିଯାତ୍ରା ଆୟୋଜନ କରାଯାଏ ।
ଏଥର ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ ଘାଟନ ହେବାକୁ ଥିବାରୁ କଟକ ବାଲିଯାତ୍ରାର ଗୁରୁତ୍ୱ ଆହୁରି ବଢ଼ିଛି । ରାଷ୍ଟ୍ୟପତିଙ୍କ ଗସ୍ତ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୪୦୦ ପୋଲିସ ଅଧିକାରୀଙ୍କୁ ନିୟୋଜନ କରାଯିବ । ୩୮ଟି ୱାଚ ଟାୱାର ନିର୍ମାଣ କରାଯାଇଛି। ୧୪ ଶହ ପାଖାପାଖି ସିସିଟିଭି ପୂରା ଅଞ୍ଚଳ ଉପରେ ନଜର ରଖିବେ । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ, ରୁଟ୍ ଲାଇନରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି ।

