ଗଜପତି, (୨୭/୧୦) : ଆପ୍ର : ବାତ୍ୟା ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସଜାଗ । ୨୯ ଯାଏଁ ସ୍କୁଲ ବନ୍ଦ । ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜିଠାରୁ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୮ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ଏହା ୨୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ବର୍ଷା ସହିତ ପ୍ରବଳ ବେଗରେ ପବନ ବହିବାର ଆଶଙ୍କା ଥିବାରୁ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଭୟ ରହିଛି । ଏହି ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି ।
ଗତକାଲି ବିଳମ୍ବିତ ରାତିରୁ ଜିଲ୍ଲାର ପାଗରେ ପରିବର୍ତ୍ତନ ଘଟିଛି । ଆକାଶ ମେଘାଚ୍ଛନ୍ନ ରହିବା ସହ ଥଣ୍ଡା ପବନ ଆରମ୍ଭ ହୋଇଥିବା ବେଳେ ଆଜି ଭୋର ସମୟରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି । ପାଗ କ୍ରମଶଃ ଖରାପ ଆଡ଼କୁ ଗତି କରୁଥିବାରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୂସ୍ଖଳନ ପ୍ରବଣ ତଥା ତଳିଆ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୧୫,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ଏହି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ଜିଲ୍ଲାରେ ଥିବା ୬ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ସହିତ ୨୮୧ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି ।
ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ଆଲୋକ ଓ ଔଷଧ ମହଜୁଦ ରଖାଯାଇଛି। ଜିଲ୍ଲାପାଳ ଗତକାଲିଠାରୁ ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ସମସ୍ତ ସୁବିଧା ଅସୁବିଧାର ତଦାରଖ କରୁଛନ୍ତି । ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ବର୍ଗଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ପ୍ରସବ ସମୟ ପାଖେଇ ଆସିଥିବା ଗର୍ଭବତୀ ମହିଳାମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିକଟସ୍ଥ ମା’ ଗୃହ କୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦୦ରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ମା’ ଗୃହକୁ ଅଣାଯାଇସାରିଛି । ସୁରକ୍ଷା ଦୃଷ୍ଟିକୋଣରୁ ଗଜପତି ଜିଲ୍ଲାର ସମସ୍ତ ସ୍କୁଲକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି ।
ବାତ୍ୟା ମୁକାବିଲା ତଥା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ସମସ୍ତଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ ଅଧିକାରୀ ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ବିଜୟ କୁମାର ଦାଶ ଗତକାଲିଠାରୁ ଜିଲ୍ଲାରେ ଉପସ୍ଥିତ ରହି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ସେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରି ମୁକାବିଲା ପ୍ରସ୍ତୁତିର ସମୀକ୍ଷା ଚଳାଇଛନ୍ତି ।

