ବାଲିଗୁଡା, (୧୯/୧୧) : ଆପ୍ର : ଆଜି ସକାଳ ୮ଟାରେ ଆଭାସୀ ମାଧ୍ୟମରେ ରାଜ୍ୟ ତଦାରଖକାରୀ ଅଧିକାରୀ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ,ଙ୍କ ଉପସ୍ଥିତିରେ ଆକ୍ଭାନ୍ ବାତ୍ୟାର ମୁକାବିଲା ନିମନ୍ତେ ଏକ ଭର୍ଚୁଆଲ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରର ସମସ୍ତ ଅଧିକାରୀ ଯୋଗଦେଇଥିଲେ ବୈଠକରେ ବାତ୍ୟା ମୁକାବିଲା ପାଇଁ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳ ପରିଚାଳନା ଓ ବିଭିନ୍ନ ବିଭାଗର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଲୋକଙ୍କ ସ୍ଥାନାନ୍ତରଣ:- କେତେ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି, ତାହାର ସଠିକ୍ ତଥ୍ୟ ରଖିବା ସହ ବିପଦସଙ୍କୁଳ ଅଞ୍ଚଳରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ କୁହାଯାଇଥିଲା । ବିଶେଷକରି ନଦୀ ଓ ନାଳ ନିକଟରେ ରହୁଥିବା ଲୋକଙ୍କୁ ନିଶ୍ଚିତ ଭାବେ ସ୍ଥାନାନ୍ତର କରିବାକୁ ଗୁରୁତ୍ୱ ଦିଆଯାଇଥିଲା ।
ଆଶ୍ରୟସ୍ଥଳ ପରିଚାଳନା :- ଦାୟିତ୍ୱରେ ଥିବା ଅଧିକାରୀମାନେ ଆଶ୍ରୟସ୍ଥଳରେ ଉପସ୍ଥିତ ରହି ଖାଦ୍ୟ, ପାନୀୟ ଜଳ, ଆଲୋକ ଓ ଅନ୍ୟାନ୍ୟ ସୁବିଧାର ତଦାରଖ କରିବାକୁ କୁହାଯାଇଥିଲା।
ଆବଶ୍ୟକ ସାମଗ୍ରୀ– ଖାଦ୍ୟ ସାମଗ୍ରୀ, ପଲିଥିନ୍/ପାଲ, ଜେନେରେଟର, ଚେନ୍ ମେସିନ୍, ଜେସିବି, ଟ୍ରଲର୍ ଓ ଅନ୍ୟାନ୍ୟ ଉଦ୍ଧାର ସାମଗ୍ରୀ ସହ ଗାଡ଼ି ଓ ଡ୍ରାଇଭରଙ୍କୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସ୍ୱାସ୍ଥ୍ୟ ସେବା : -ଆବଶ୍ୟକ ଔଷଧ, ଡାକ୍ତର, ନର୍ସ, ଆଶାକର୍ମୀ ଓ ଏଏନଏମ ଙ୍କୁ ପ୍ରସ୍ତୁତ ରଖି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ କୁହାଯାଇଥିଲା । ଜନ ପ୍ରତିନିଧି ସଦସ୍ୟଙ୍କ ସହଯୋଗ- ସ୍ଥାନାନ୍ତରଣ ଓ ଜନସଚେତନତା କାର୍ଯ୍ୟରେ PRI ସଦସ୍ୟମାନଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା । ଭୂସ୍ଖଳନ ପ୍ରବଣ ଅଞ୍ଚଳ-ରାଇକିଆ, ଦାରିଙ୍ଗବାଡ଼ି ଓ ଜି. ଉଦୟଗିରି ଭଳି ଭୂସ୍ଖଳନ ପ୍ରବଣ ବ୍ଲକଗୁଡ଼ିକର ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝାଯାଇଥିଲା। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଆଣିବା ପାଇଁ ଗାଡ଼ି ବ୍ୟବସ୍ଥା କରାଯାଉଥିବା ଅଧିକାରୀମାନେ ଜଣାଇଥିଲେ । ଶୂନ୍ୟ ଜୀବନହାନି (Zero Casualty) ଲକ୍ଷ୍ୟ ରଖି କାର୍ଯ୍ୟ କରିବାକୁ କୁହାଯାଇଥିଲା।
ରିଲିଫ୍ ପାଣ୍ଠି ଓ ଖାଦ୍ୟ : – ଯେକୌଣସି ବ୍ଲକକୁ ରିଲିଫ୍ କାର୍ଯ୍ୟ ପାଇଁ ଅତିରିକ୍ତ ଅର୍ଥର ଆବଶ୍ୟକତା ହେଲେs ତୁରନ୍ତ ଜଣାଇବାକୁ କୁହାଯାଇଥିଲା । ଚୁଡ଼ା ସମେତ ଆବଶ୍ୟକ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଥିବା ଅଧିକାରୀମାନେ ଜଣାଇଥିଲେ । ଘାଟି ଓ ଜଳପ୍ରପାତରେ ସୁରକ୍ଷା-କଳିଙ୍ଗିଆ ଓ ଗଜଲବାଡ଼ି ଘାଟିରେ ଯାତାୟାତ ବନ୍ଦ ରହିଥିବା ଅଧିକାରୀମାନେ ଜଣାଇଥିଲେ । ବର୍ଷା ସମୟରେ ଜଳପ୍ରପାତ ଓ ଅନ୍ୟାନ୍ୟ ବିପଦସଙ୍କୁଳ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକ କିମ୍ବା ଭୋଜିଭାତ ପାଇଁ ଆସୁଥିବା ଲୋକଙ୍କୁ ଅନୁମତି ନଦେବା ସହ ପ୍ରତ୍ୟେକ ସ୍ଥାନରେ ପୋଲିସ କିମ୍ବା ଦାୟିତ୍ୱପ୍ରାପ୍ତ ଅଧିକାରୀ ମୁତୟନ କରିବାକୁ କୁହାଯାଇଥିଲା ।
ନଦୀ, ନାଳ ଓ ଜଳପ୍ରପାତ ନିକଟରେ ବିପଦପୂର୍ଣ୍ଣ ଭାବେ ରିଲ୍ସ କିମ୍ବା ଭିଡିଓ ନକରିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ବାତ୍ୟା ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ତୁରନ୍ତ ପଦକ୍ଷେପ ନେବା ସହ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ଅଧିକାରୀଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

