ପୁରୀ, (୨୫/୦୭) : ଆପ୍ର : ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆରାମଦାୟକ ଓ ନିର୍ବିଘ୍ନ ଯାତ୍ରା କରିବା ସହିତ ବର୍ଦ୍ଧିତ ଯାତ୍ରୀ ଭିଡ଼କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି ।
ଆଜି ସୁନାବେଶ ଅବସରରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ । ଉତ୍ସବ ସମୟରେ ପୁରୀ ଆସୁଥିବା ଭକ୍ତମାନଙ୍କୁ ସୁବିଧାଜନକ ରେଳ ସଂଯୋଗ ଯୋଗାଇବା ଲକ୍ଷ୍ୟରେ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ ସେବାର ଯୋଜନା କରାଯାଇଛି । ସୁନାବେଶ ଅବସରରେ ପାରାଦୀପ, ଅନୁଗୁଳ, ଭଦ୍ରକ, ତାଳଚେର, କେନ୍ଦ୍ରାପଡ଼ା ରୋଡ୍, ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, କେନ୍ଦୁଝରଗଡ଼, ଖୋର୍ଦ୍ଧା ରୋଡ୍ ଓ ଦଶପଲ୍ଲାରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ସେହିପରି ପୁରୀରୁ ତାଳଚେର, ବାଦାମପାହାଡ଼, ଢେଙ୍କାନାଳ, ବାଙ୍ଗିରିପୋଷି, ରାୟଗଡ଼ା, ଭଦ୍ରକ, ଅନୁଗୁଳ, ଗୁଣୁପୁର, ରାଉରକେଲା, ଦଶପଲ୍ଲା, ସମ୍ବଲପୁର, ପଲାସା, ବିଶାଖାପାଟଣା ଓ ଶାଲିମାର ଅଭିମୁଖେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ।
ଅଧରପଣା ଅବସରରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ରହ୍ମପୁର, ଦଶପଲ୍ଲା, ଅନୁଗୁଳ, କେନ୍ଦୁଝରଗଡ଼, ପାରାଦୀପ, ଭଦ୍ରକ ଓ ଖୋର୍ଦ୍ଧା ରୋଡରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ । ଏହାସହ ପୁରୀରୁ ତାଳଚେର, ଢେଙ୍କାନାଳ, ବାଙ୍ଗିରିପୋଷି, ଭଦ୍ରକ, ଅନୁଗୁଳ, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, କେନ୍ଦୁଝରଗଡ଼ ଓ ପାରାଦୀପ ଅଭିମୁଖେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ସେବା ଉପଲବ୍ଧ ହେବ। ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କ ନିର୍ବିଘ୍ନ ଯାତ୍ରା ସୁନିଶ୍ଚିତ କରିବା ପାଇଁ ରେଳ ମନ୍ତ୍ରଣାଳୟ ଏବଂ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସମସ୍ୟାର ତୁରନ୍ତ ସମାଧାନ ଏବଂ ଟ୍ରେନ ଚଳାଚଳର ନିରନ୍ତର ତଦାରଖ ପାଇଁ ୨୪×୭ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି ।

