Homelocalଘୁଷୁରାମୁଣ୍ଡା ଅଙ୍ଗନୱାଡ଼ି ପାଚିକା ବିବାଦ

ଘୁଷୁରାମୁଣ୍ଡା ଅଙ୍ଗନୱାଡ଼ି ପାଚିକା ବିବାଦ

  • ପ୍ରଶାସନର ମଧ୍ୟସ୍ଥତାରେ ଖୋଲିଲା ତାଲା, ନୂତନ ମାତୃ କମିଟି ତଦାରଖରେ ପ୍ରସ୍ତୁତ ହେବ ପିଲାଙ୍କ ରନ୍ଧା ଖାଦ୍ୟ

ମୁରିବାହାଲ, (୩୦/୦୬) : ଆପ୍ର : ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରର ପାଚିକା ଚୟନକୁ କେନ୍ଦ୍ର କରି ଦେଖାଦେଇଥିବା ଦୀର୍ଘଦିନର ବିବାଦରେ ଶେଷରେ ସାମୟିକ ସମାଧାନର ବାଟ ବାହାରିଛି

ଗ୍ରାମରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ମୁରିବାହାଲ ବିଡିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ମୁରିବାହାଲ ଆଇଆଇସି ବୁଲୁ ମୁଣ୍ଡା ଏବଂ ସିଡିପିଓ ପୂର୍ଣିମା ବୈଠାରୁଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ସର୍ବସମ୍ମତି କ୍ରମେ ସରୋଜିନୀ ଭୋଇ, ଦୁଲଣି ଭୋଇ, ସୌଭାଗିନୀ ବାଗ, ସଙ୍ଗୀତା ଝାଙ୍କର ଓ ରମା ଦାସଙ୍କୁ ନେଇ ଏକ ନୂତନ ମାତୃ କମିଟି ଗଠନ କରାଯାଇଛି। ପାଚିକା ନିଯୁକ୍ତି ବିବାଦର ସ୍ଥାୟୀ ଫଇସଲା ନ ହେବା ପର୍ଯ୍ୟନ୍ତ ଏହି ମାତୃ କମିଟି ହିଁ କେନ୍ଦ୍ରର ଶିଶୁମାନଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥାର ସମସ୍ତ ଦାୟିତ୍ୱ ତୁଲାଇବେ ବୋଲି ନିଷ୍ପତ୍ତି ହୋଇଛି । ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଗ୍ରାମବାସୀ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ । ଏ ସମ୍ପର୍କରେ ଉପଜିଲ୍ଲାପାଳ କହିଛନ୍ତି, “କେତେକ ଯୋଗାଯୋଗର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା। ପ୍ରାଥମିକ ତଦନ୍ତରୁ କୌଣସି ଅନିୟମିତତା ଜଣାପଡ଼ି ନଥିଲେ ସୁଦ୍ଧା ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ତ୍ରୁଟି ଥାଏ, ତାହାର ସଂଶୋଧନ କରାଯିବ ।”

ପ୍ରତିଶ୍ରୁତି ମିଳିବା ପରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ କେନ୍ଦ୍ରର ତାଲା ଖୋଲାଯାଇଛି । ଏଣିକି ପିଲାଙ୍କ ପାଠପଢ଼ା ଓ ଖାଦ୍ୟ ବଣ୍ଟନ ସ୍ୱାଭାବିକ ହେବ । ଅପରପକ୍ଷରେ, ସିଡିପିଓ ପୂର୍ଣିମା ବୈଠାରୁ ସ୍ପଷ୍ଟ କରିଛନ୍ତି ଯେ ବିଭାଗ ପକ୍ଷରୁ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ, କେବଳ ଲୋକଙ୍କ ମଧ୍ୟରେ ଥିବା ଭ୍ରମ ଧାରଣାକୁ ଆଲୋଚନା ମାଧ୍ୟମରେ ଦୂର କରାଯାଇଛି । ୨୦୨୪ର ନୂତନ ସରକାରୀ ନିୟମାବଳୀ ଅନୁଯାୟୀ ଏହି ମାତୃ କମିଟି ଦ୍ୱାରା ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ପରିଚାଳିତ ହେବ । ଗ୍ରାମବାସୀଙ୍କ ସହଯୋଗ ପରେ ବର୍ତମାନ ସେଠାରେ ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ଓ ସ୍ୱାଭାବିକ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments