ରାୟଗଡା, (୨୩/୦୭) : ଆପ୍ର : ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଉତ୍ସବ ପି ଏମ ଶ୍ରୀ ଗୋବିନ୍ଦଚନ୍ଦ୍ରଦେବ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜନ କରାଯିବ । ଉକ୍ତ ଦିନ ପ୍ରତ୍ୟୁଷରେ ରାମଧୁନ ଗାନ କରାଯାଇ ସହର ପରିକ୍ରମା କରାଯିବ । ବିଭିନ୍ନ ଶିକ୍ଷାଅନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟରେ ସକାଳ ୭:୩୦ ରୁ ୮:୦୦ ମଧ୍ୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ଥିବାବେଳେ ସକାଳ ୯:୧୫ ଘଟିକା ସମୟରେ ପି ଏମ ଶ୍ରୀ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ। ଏହା ସହ ଗଜପତି ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ପି ଏମ ଶ୍ରୀ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆଠାରେ ଶେଷ ହେବ ।
ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା କାରାଗାର ଏବଂ ଅନ୍ୟାନ୍ୟ ସ୍ଥାନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଫଳବଣ୍ଟନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି।ବରପୁତ୍ରମାନଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ, ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପୁରସ୍କାର ବିତରଣ, ପ୍ୟାରେଡପଡିଆର ରକ୍ଷଣାବେକ୍ଷଣା, ପ୍ୟାରେଡ ଓ ଶାରୀରିକ କୌଶଳ ବିତରଣ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା। ଏଥିସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କର୍ମଚାରୀ କୁମୁଦିନୀ ମିଶାଲ, ମାନସ ସାହୁ, ଡମ୍ୱରୁଧର ପଣ୍ଡା, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା, ଚନ୍ଦ୍ରଶେଖର, ରଂଜିତ ସହଯୋଗ କରିଥିଲେ। ଏହି ବୈଠକରେ ଏସ.ଡି.ସି ଉପସଭାପତି ଶ୍ରୀମତୀ ମଞ୍ଜୁଳା ମିଣିଆକା, ସେକେଣ୍ଡ-ଇନ୍-କମାଣ୍ଡ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରାଉତ, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୋସନାର ବର୍ଲା, ପ୍ରକଳ୍ପ ପ୍ରଶାସକ ଏବଂ ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର, ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ଆର ଆଇ ପୋଲିସ ଶ୍ରୀ ଦିନେଶ ସାହୁ ସହ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷାବିତ ଡ଼ ଦୁଷ୍ମନ୍ତ ମହାନ୍ତି, ପୋଲିସ ପ୍ରଶାସନ, ଜନପ୍ରତିନିଧିଗଣ, ଶିକ୍ଷାନୁଷ୍ଠାନର ଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି, ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ ।

