- ପ୍ରୋଟୋକଲ ବିବାଦ, ଗୁଣପୁର ପୌରପାଳିକା ବନାମ ବିଧାୟକ
ଗୁଣପୁର, (୧/୯) : ଆପ୍ର : ଗୁଣପୁର ଠାରେ ସ୍ବାୟତ୍ତ ଶାସନ ଦିବସ ପାଳନକୁ କେନ୍ଦ୍ର କରି ରାଜନୀତି ବେଶ୍ ସରଗରମ ହୋଇଉଠିଥିବା ଦେଖିବାକୁ ମିଳିଛି ।
ଏହି ଅବସରରେ ସହରରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ବରିଷ୍ଠ ନାଗରିକ, ସଫେଇ କର୍ମଚାରୀ, କାଉନସିଲର ଓ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ସହରରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ପୌର ଅଧ୍ୟକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଓ କାଉନସିଲର ମାନେ ମିଶି ଉଦଘାଟନ କରିଥିଲେ । ଏଠାରୁ ଆରମ୍ଭ ହୋଇଥିଲା ବିବାଦ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କୁ ପୌର ପରିଷଦ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି ।
ଏଥିସହ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଫଳକରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ନାମ ନଥିବା ନେଇ ବିଧାୟକ ସତ୍ୟଜିତ ଗମାଙ୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ସହ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିବା କହିଛନ୍ତି । ବିଧାୟକଙ୍କ ସମର୍ଥକ ମାନେ ଗୁଣପୁର ଉପଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ସହ ଏସ୍ ପି ଙ୍କ ଉଦ୍ଦେଶ୍ୟରେ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଏହି ପ୍ରସଙ୍ଗରେ ବିଧାୟକଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ସେ କହିଛନ୍ତି ପୂର୍ବରୁ ଅନେକ ସରକାରୀ କାର୍ଯ୍ୟକ୍ରମକୁ ବିଧାୟକଙ୍କୁ ପୂର୍ଣ୍ଣ ସମ୍ମାନର ସହ ଡକାଯାଇଥିଲା, ମାତ୍ର ସେ କୌଣସି କାର୍ଯ୍ୟକ୍ରମକୁ ଆସନ୍ତି ନାହିଁ କି ବିକାଶ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରନ୍ତି ନାହିଁ । ତେବେ ଭୁଲବଶତଃ ଏଥର ନିମନ୍ତ୍ରଣ ହୋଇ ନ ଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ବିବାଦ ଏତିକିରେ ସମାପ୍ତ ହୋଇନାହିଁ , ଯଦି ପ୍ରୋଟୋକଲ ଅନୁସାରେ ଫଳକରେ ନାମ ନ ରହିବ ତେଵେ ଆଗାମୀ ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ବିଧାୟକ ସିଧା ସିଧା ଚେତାବନୀ ଦେଇଛନ୍ତି । ଗୁଣପୁର ଉପଜିଲ୍ଲାପାଳ ବିଧାୟକଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ପୌର ଅଧ୍ୟକ୍ଷାଙ୍କୁ ଏକ ଚିଠି ମାଧ୍ୟମରେ ସରକାରୀ ନିୟମ ଓ ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ତେବେ ସ୍ବାୟତ୍ତ ଶାସନ କାର୍ଯ୍ୟକ୍ରମ ମଞ୍ଚରେ ମୂଖ୍ୟ ଅତିଥି ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଓ ସମ୍ମାନିତ ଅତିଥି ଗୁଣପୁର ବିଡିଓ ସ୍ୱସ୍ତିକ ଜମାଦାର ଯୋଗ ନଦେଇ ବିବାଦ ଠାରୁ ଦୂରେଇ ଯାଇଥିବା ଚର୍ଚ୍ଚା ହେଉଛି । ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ବିଶେଷ କିଛି ମତ୍ତ ନଦେଇ, ଏହା ମୋର ଦୁର୍ଭାଗ୍ୟ ବୋଲି କହିଛନ୍ତି । ପୌର କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଇଛି ।

