Homelocalସରକାରୀ କର୍ମଚାରୀଙ୍କ ଦରମାରୁ କଟିବ ଆଲିମୋନି, ଅର୍ଥ ବିଭାଗ ଜାରି କଲା SOP

ସରକାରୀ କର୍ମଚାରୀଙ୍କ ଦରମାରୁ କଟିବ ଆଲିମୋନି, ଅର୍ଥ ବିଭାଗ ଜାରି କଲା SOP

ଭୁବନେଶ୍ବର, (୧୮/୦୯) : ଆପ୍ର : ସରକାରୀ କର୍ମଚାରୀଙ୍କ ଦରମାରୁ କଟିବ ଆଲିମୋନି । ଏଣିକି ବିଳମ୍ବ ହେବନି କ୍ଷମତାପ୍ରାପ୍ତ ଭରଣପୋଷଣ ଓ ଆଲିମୋନି ପ୍ରଦାନ ।

କୋର୍ଟଙ୍କ ଆଦେଶ ସତ୍ତ୍ୱେ ନିର୍ଦ୍ଧାରିତ ରାଶି ପ୍ରଦାନ ନକରୁଥିବା ସରକାରୀ କର୍ମଚାରୀଙ୍କ ଦରମାରୁ ଉକ୍ତ ରାଶି କାଟି ହିତାଧିକାରୀଙ୍କୁ ସିଧାସଳଖ ପ୍ରଦାନ କରାଯିବ । ଏନେଇ ଅର୍ଥ ବିଭାଗ ପକ୍ଷରୁ ଏକ ମାନକ କାର୍ଯ୍ୟପଦ୍ଧତି (SOP) ଜାରି କରାଯାଇଛି । ବ୍ୟବସ୍ଥା ଅନୁଯାୟୀ, କ୍ଷମତାପ୍ରାପ୍ତ ଅଦାଲତଙ୍କ ପ୍ରମାଣିତ ଓ କାର୍ଯ୍ୟକାରୀ ଆଦେଶ ମିଳିବା ପରେ ସମ୍ପୃକ୍ତ ଡ୍ରଇଂ ଆଣ୍ଡ ଡିସ୍ ବର୍ସିଂ ଅଫିସର (DDO) ତୁରନ୍ତ HRMSରେ କର୍ମଚାରୀଙ୍କ ମାସିକ ପେ-ବିଲ୍ ରେ ଆଲିମୋନି ବା ଭରଣପୋଷଣ ରାଶିକୁ ‘Private Deduction’ ଭାବେ ଦର୍ଶାଇବେ ।

ଦରମାରୁ କଟାଯାଇଥିବା ଅର୍ଥ ଟ୍ରେଜେରୀ ମାଧ୍ୟମରେ DDOଙ୍କ ନିର୍ଦ୍ଦିଷ୍ଟ ସରକାରୀ କରେଣ୍ଟ ଆକାଉଣ୍ଟରେ ଜମା ହେବ । ପରେ ତାହାକୁ ହିତାଧିକାରୀଙ୍କ ଯାଞ୍ଚ ହୋଇଥିବା ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯିବ । ପ୍ରଥମ କିସ୍ତି ପ୍ରଦାନ ପୂର୍ବରୁ DDOଙ୍କୁ କୋର୍ଟ ଆଦେଶର ସତ୍ୟତା, ବୈଧତା ଓ କାର୍ଯ୍ୟକାରୀ ସ୍ଥିତି ଯାଞ୍ଚ କରିବାକୁ ହେବ । ଏଥିସହ ହିତାଧିକାରୀଙ୍କ ପରିଚୟ ଓ ବ୍ୟାଙ୍କ ଖାତା ବିବରଣୀ ଯାଞ୍ଚ କରି ନିର୍ଦ୍ଧାରିତ ଫର୍ମାଟ୍ ରେ ତାଙ୍କ ଅଣ୍ଡରଟେକିଂ ଗ୍ରହଣ କରିବେ । ଆଲିମୋନି ବା ଭରଣପୋଷଣ ପାଉଥିବା ହିତାଧିକାରୀଙ୍କୁ ବର୍ଷକୁ ଦୁଇଥର ଶାରୀରିକ ଯାଞ୍ଚ ପାଇଁ DDOଙ୍କ ନିକଟରେ ହାଜର ହେବାକୁ ପଡ଼ିବ ।

ଏପ୍ରିଲ୍ ରେ ପ୍ରଥମ ଥର ଏବଂ ଏହାର ଛଅ ମାସ ପରେ ନଭେମ୍ବରରେ ଦ୍ୱିତୀୟ ଥର ହାଜର ହେବାକୁ ହେବ । ନିର୍ଦ୍ଧାରିତ ସମୟରେ ହାଜର ନହେଲେ ପରବର୍ତ୍ତୀ ରାଶି ପ୍ରଦାନକୁ ଅଟକାଇ ଦିଆଯିବ । ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ହିଁ ପୁନର୍ବାର ଅର୍ଥ ପ୍ରଦାନ କରାଯିବ । ସେହିପରି, କୋର୍ଟଙ୍କ ଆଦେଶରେ ପରିବର୍ତ୍ତନ, ସ୍ଥଗିତ କିମ୍ବା ବାତିଲ ହେଲେ ହିତାଧିକାରୀଙ୍କୁ ତୁରନ୍ତ DDOଙ୍କୁ ଲିଖିତ ଭାବେ ଜଣାଇବାକୁ ହେବ । ଭରଣପୋଷଣ ପାଇବାର ଅଧିକାରକୁ ପ୍ରଭାବିତ କରୁଥିବା ବୈବାହିକ ସ୍ଥିତିରେ ପରିବର୍ତ୍ତନ ହେଲେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେବା ଆବଶ୍ୟକ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments