ଭୁବନେଶ୍ୱର, (୨୦/୦୭) : ଆପ୍ର : ଲଗାଣ ବର୍ଷା ପରେ ଏବେ ପରିବା ବଜାରରେ ନିଆଁ । ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଥିବାବେଳେ ଏବେ ବଜାରରେ ଆକାଶ ଛୁଆଁ ପରିବା ଦର ।
ସେପଟେ ଶ୍ରାବଣ ମାସ ଆରମ୍ଭରୁ ଖାଉଟିଙ୍କୁ ପରିବା ଦର ଚିନ୍ତା । ଏଣେ ପକେଟ ଖାଲି ହେଇଯାଉଛି, ହେଲେ ବ୍ୟାଗ ଫୁଲ୍ ହେଉନି । ଯେଉଁ ପରିବାକୁ ହାତ ମାରିଲେ ସବୁ ୫୦ ଉପରେ । ଗୋଟିଏ ବ୍ୟାଗ ଫୁଲ୍ ପାଇଁ ଅତି କମରେ ୫୦୦ ଟଙ୍କା ଆବଶ୍ୟକ ପଡୁଛି । ଯାହାଫଳରେ ଖୁଚୁରା ବ୍ୟବସାୟୀ ୮୦ରୁ ୧୦୦ ଟଙ୍କା ଦରରେ ବିକ୍ରି କରୁଛନ୍ତି ପରିବା । ଛତ୍ରବଜାରରେ ବାଇଗଣ ୬୦ ଟଙ୍କାରେ ବିକ୍ରି ହେଉଛି । ପୋଟଳ, ଭେଣ୍ଡି, କାଙ୍କଡ଼ ଆଦି ପରିବା ୫୦ଟଙ୍କାରେ ବିକ୍ରି ହେଉଛି । ସେହିପରି ଟମାଟୋ ଓ କୁନ୍ଦୁରି ୪୦ ଟଙ୍କା, ଫୁଲକୋବି ଗୋଟା ୭୦ ଟଙ୍କାରେ ବିକ୍ରି ହେଉଛି । ଏପଟେ ରାଜଧାନୀରେ ବି ପରିବା ସବୁ ଚଢ଼ା ଦରରେ ବିକ୍ରି ହେଉଛି ।
ଶ୍ରାବଣ ମାସରେ ଅନେକ ଲୋକ କେବଳ ସାଧା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ମାତ୍ର ପରିବା ଦର ବୃଦ୍ଧି ସାଧରଣ ଲୋକଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । କଟକ ଛତ୍ରବଜାର ପରିବା ମଣ୍ଡିରେ ପରିବା ଦରକୁ ନେଇ ଚିନ୍ତାରେ ଖାଉଟି । କାରଣ ଏହି ସ୍ଥାନରେ ସମସ୍ତ ପରିବା ଦର ଶସ୍ତା ରହିଥିବା ବିଶ୍ୱାସ ରହିଛି । ଛତ୍ରବଜାର ପରିବା ମଣ୍ଡିରେ ପରିବା ଦର ଆକାଶ ଛୁଆଁ ରହିଛି ।

