କଟକ, (୦୧/୦୯) : ଆପ୍ର : ନୂଆ ଜୀବନ ପାଇଲେ ଗାଲାଇ ମୁଣ୍ଡା । ଭାଲୁ ଆକ୍ରମଣରେ କ୍ଷତବିକ୍ଷତ ମୁହଁକୁ ପ୍ଲାଷ୍ଟର୍ କରି ଗାଲାଇଙ୍କୁ ନୂଆ ଜୀବନ ଦେଇଛନ୍ତି ଡାକ୍ତର ।
ଗାଲାଇଙ୍କ ସଫଳ ଅସ୍ତ୍ରୋପଚାର କରିଛନ୍ତି କଟକ ଏସସିବି ମେଡିକାଲର ୧୦ ଜଣିଆ ଡାକ୍ତରୀ ଟିମ୍ । ତାଙ୍କ ଗାଲ, ଆଖିପତା, ନାକପୁଡ଼ାର ରି-କନଷ୍ଟ୍ରକ୍ସନ୍ କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାଇଛନ୍ତି ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ତଥା ପ୍ଲାଷ୍ଟିକ୍ ସର୍ଜନ୍ ବିଶ୍ୱଜିତ ମିଶ୍ର । ଡାକ୍ତର ମିଶ୍ରଙ୍କ ତତ୍ୱାବଧାନରେ ୧୦ ଜଣିଆ ଡାକ୍ତରୀ ଟିମ୍ ଗାଲାଇଙ୍କ ଅସ୍ତ୍ରୋପଚାର କରିଥିଲେ । କେନ୍ଦୁଝର ଜିଲ୍ଲା ବାଂଶପାଳ, କାଦମାଳ ମରସୁଆଁ ଗାଲେଇ ମୁଣ୍ଡା ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ ।
ଗତ ଜୁଲାଇ ୧୬ ତାରିଖରେ ସେ ବିଲକୁ ଯାଉଥିବା ବେଳେ ୨ଟି ଭାଲୁ ତାଙ୍କୁ ଅଚାନକ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରେ ଗାଲାଇଙ୍କ ମୁହଁର ଡାହାଣ ପଟ ଗାଲ, ଆଖିପତା, ନାକପୁଡା ସମ୍ପୂର୍ଣ୍ଣ କ୍ଷତବିକ୍ଷତ ହୋଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବାଂଶପାଳ ଓ ପରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତି ସମୟରେ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତରଙ୍କ ସହଯୋଗରେ ଗାଲାଇ ଏବେ ନୂଆ ଜୀବନ ପାଇଥିବା ଜଣାଇଛନ୍ତି ତାଙ୍କ ଭାଇ । ସେହିପରି ଭଲରେ କଥା ହୋଇ ପାରିବା ସହ ତାଙ୍କ ଆଖିକୁ ଠିକ ଦେଖାଯାଉଥିବାରୁ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ଗାଲାଇଙ୍କ ଭାଇ ।

