Homebreaking newsବିଶ୍ୱ ଆଦିବାସୀ ଦିବସ ରେ ଜଳ–ଜଙ୍ଗଲ–ଜମି, ଅସ୍ମିତା ଓ ସାମ୍ବିଧାନିକ ଅଧିକାର ସୁରକ୍ଷାର ଦୃଢ଼ ସଂକଳ୍ପ...

ବିଶ୍ୱ ଆଦିବାସୀ ଦିବସ ରେ ଜଳ–ଜଙ୍ଗଲ–ଜମି, ଅସ୍ମିତା ଓ ସାମ୍ବିଧାନିକ ଅଧିକାର ସୁରକ୍ଷାର ଦୃଢ଼ ସଂକଳ୍ପ କଲେ ଆଦିବାସୀ : ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବୀ

ସୁବର୍ଣ୍ଣପୁର , (୦୯ /୦୮): ବିଶ୍ୱ ଆଦିବାସୀ ଦିବସ ଅବସରରେ ରବିବାର ସୁବର୍ଣ୍ଣପୁର ମାଟିରେ ଆଦିବାସୀ ଏକତା, ଅସ୍ମିତା, ସ୍ୱାଭିମାନ, ସଂସ୍କୃତି ଓ ସାମ୍ବିଧାନିକ ଅଧିକାରର ଶକ୍ତିଶାଳୀ ସ୍ୱର ପ୍ରତିଧ୍ୱନିତ ହୋଇଛି। ଏହି ଦିବସ କେବଳ ଉତ୍ସବରେ ସୀମିତ ନ ରହି ଜଳ–ଜଙ୍ଗଲ–ଜମି, ଗ୍ରାମସଭାର ଅଧିକାର ଏବଂ ଆଦିବାସୀ ସମାଜର ସାମ୍ବିଧାନିକ ସୁରକ୍ଷା ପାଇଁ ଏକ ବିଶାଳ ଜନସ୍ୱରରେ ପରିଣତ ହୋଇଥିଲା।ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହଜାର ହଜାର ଆଦିବାସୀ ଭାଇଭଉଣୀ ନୃତ୍ୟ, ଗୀତ, ଢାପ, ଡକା, ମାଦଳ, ନିଶାନ ସମେତ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ବିଶାଳ ଶୋଭାଯାତ୍ରାରେ ସୁବର୍ଣ୍ଣପୁର ସହର ପରିକ୍ରମା କରିଥିଲେ।

ଆଦିବାସୀ ନୃତ୍ୟ, ସଙ୍ଗୀତ, ପରମ୍ପରା ଓ ସାଂସ୍କୃତିକ ବୈଭବର ଅପୂର୍ବ ସମାଗମରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିଲା।ପରେ ଟାଉନ ହଲ୍‌ରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡଃ ନୃପରାଜ ସାହୁ, ବୌଦ୍ଧ ଏସ୍‌ଡିସି ଅଧ୍ୟକ୍ଷ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଯୋଗେନ୍ଦ୍ର ଭୋଇ, ଗୁପ୍ତେଶ୍ୱର ମଲ୍ଲିକ, ଜଗନ୍ନାଥ ଧରୁଆ, ପ୍ରଫୁଲ୍ଲ ତୁମୁନିଆଁ, ରାମଚନ୍ଦ୍ର ମୁର୍ମୁଙ୍କ ସମେତ ସମସ୍ତ ବ୍ଲକ୍‌ର ସଭାପତି ଓ ସମ୍ପାଦକ, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ପଦାଧିକାରୀ, ଆଦିବାସୀ ନେତୃବୃନ୍ଦ, ମହିଳା, ଯୁବକ-ଯୁବତୀ ଏବଂ ବହୁସଂଖ୍ୟକ ଆଦିବାସୀ ଭାଇଭଉଣୀ ଯୋଗଦେଇଥିଲେ।
ସଭାରେ ଆଦିବାସୀ ସମାଜର ସାମ୍ବିଧାନିକ ଅଧିକାର, ଜଳ–ଜଙ୍ଗଲ–ଜମିର ସୁରକ୍ଷା, ଶିକ୍ଷା ଓ ନିଯୁକ୍ତି, ଜମି ଓ ଜଙ୍ଗଲ ଅଧିକାର, ସାମାଜିକ ଓ ଅର୍ଥନୈତିକ ନ୍ୟାୟ, ଆଦିବାସୀ ଭାଷା–ସଂସ୍କୃତି–ପରମ୍ପରାର ସଂରକ୍ଷଣ, ଗ୍ରାମସଭାର ଅଧିକାର ଏବଂ ଆଦିବାସୀ ସମାଜ ସମ୍ମୁଖୀନ ହେଉଥିବା ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।WhatsApp Image 2026 08 10 at 12.11.07 AM

ବକ୍ତାମାନେ କହିଥିଲେ ଯେ ଭାରତୀୟ ସମ୍ବିଧାନ ଅନୁସୂଚିତ ଜନଜାତିଙ୍କୁ ପ୍ରଦାନ କରିଥିବା ସୁରକ୍ଷା, ସଂରକ୍ଷଣ ଓ ଅଧିକାର କେବଳ ଆଇନର ପୃଷ୍ଠାରେ ସୀମିତ ରହିଲେ ଚଳିବ ନାହିଁ। ଏହାର ନିଷ୍ଠାପର, ପାରଦର୍ଶୀ ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ତୃଣମୂଳସ୍ତରରେ ସୁନିଶ୍ଚିତ ହେବା ଆବଶ୍ୟକ। ଆଦିବାସୀଙ୍କ ବିକାଶ ସହ ସେମାନଙ୍କ ଅସ୍ମିତା, ପାରମ୍ପରିକ ଅଧିକାର, ଭାଷା, ସଂସ୍କୃତି ଓ ସ୍ୱାଭିମାନର ସୁରକ୍ଷାକୁ ସମାନ ଗୁରୁତ୍ୱ ଦିଆଯିବା ଉପରେ ମଧ୍ୟ ଜୋର ଦିଆଯାଇଥିଲା। ଏହି ଐତିହାସିକ ସମାବେଶ ଅବସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଦିବାସୀ ସମାଜର ବିକାଶ, ଅଧିକାର ଓ ସୁରକ୍ଷା ସମ୍ପର୍କିତ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଦାବୀ ଗୁଡ଼ିକ ମଧ୍ୟରେ ଆଦିବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ବିକାଶ, ଅନ୍ୱେଷା ଯୋଜନା, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ, ଖଣି ଲିଜ୍ ବନ୍ଦ, ଜଙ୍ଗଲ ଜମି ଅଧିକାର ସ୍ୱତ୍ୱ ପ୍ରଦାନ, ଆଦିବାସୀ ଭାଷା ସଂସ୍କୃତି ଓ ଦେବଦେବୀଙ୍କ ସୁରକ୍ଷା ସମେତ ଜିଲ୍ଲାକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରେ ସାମିଲ କରିବା ଭଳି ପ୍ରମୁଖ ପ୍ରସଙ୍ଗ ସ୍ଥାନ ପାଇଥିଲା। ସମାବେଶରୁ ସ୍ପଷ୍ଟ ବାର୍ତ୍ତା ଦିଆଯାଇଥିଲା ଯେ ଆଦିବାସୀଙ୍କ ଅସ୍ତିତ୍ୱ ସହ କୌଣସି ସାଲିସ୍ ନାହିଁ; ଆଦିବାସୀଙ୍କ ଅସ୍ମିତା ସହ କୌଣସି ସାଲିସ୍ ନାହିଁ; ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ସହ କୌଣସି ସାଲିସ୍ ନାହିଁ। ଜଳ–ଜଙ୍ଗଲ–ଜମି କେବଳ ପ୍ରାକୃତିକ ସମ୍ପଦ ନୁହେଁ; ଏହା ଆଦିବାସୀଙ୍କ ଜୀବନ, ଜୀବିକା, ଇତିହାସ, ସଂସ୍କୃତି, ପରମ୍ପରା ଓ ପରିଚୟର ଅବିଚ୍ଛେଦ୍ୟ ଅଂଶ ବୋଲି ସମାବେଶରେ ମତପ୍ରକାଶ ପାଇଥିଲା।

“ସମ୍ବିଧାନ ଆମର ଅଧିକାର • ଜଳ–ଜଙ୍ଗଲ–ଜମି ଆମର ପରିଚୟ • ଗ୍ରାମସଭା ଆମର ଶକ୍ତି • ଏକତା ଆମର ସଂକଳ୍ପ” ଏହି ବାର୍ତ୍ତା ସହ ଆଦିବାସୀ ସମାଜର ଏକତାକୁ ଆହୁରି ସୁଦୃଢ଼ କରିବା, ସାମ୍ବିଧାନିକ ଅଧିକାର ସମ୍ପର୍କରେ ତୃଣମୂଳସ୍ତରରେ ସଚେତନତା ବଢ଼ାଇବା ଏବଂ ଜଳ– ଜଙ୍ଗଲ–ଜମି, ସଂସ୍କୃତି ଓ ସ୍ୱାଭିମାନର ସୁରକ୍ଷା ପାଇଁ ଏକତ୍ରିତ ଭାବେ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦିଆଯାଇଥିଲା। ବିଶ୍ୱ ଆଦିବାସୀ ଦିବସର ଏହି ଭବ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ବ୍ଲକ୍‌ର ସଭାପତି, ସମ୍ପାଦକ, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ପଦାଧିକାରୀ, ଆଦିବାସୀ ନେତୃବୃନ୍ଦ, ସ୍ୱେଚ୍ଛାସେବୀ, ଯୁବକ-ଯୁବତୀ, ମା’ ଓ ଭଉଣୀମାନଙ୍କ ସମେତ ହଜାର ହଜାର ଆଦିବାସୀ ଭାଇଭଉଣୀ ସକ୍ରିୟ ଭାବେ ଯୋଗଦେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments