ପାଟଣାଗଡ, (୧୪/୦୬) : ଆପ୍ର : କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ଦ୍ୱାରା ଆଦିବାସୀ ସମାଜ ସମ୍ପର୍କରେ ଦିଆଯାଇଥିବା ଆଦିବାସୀ ଦୂଷିତ ଅପମାନଜନକ ମନ୍ତବ୍ୟକୁ ନେଇ ବିବାଦ ତୀବ୍ର ରୂପ ଧାରଣ କରିଛି ।
ଆଜି ପାଟଣାଗଡ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ବିଧାୟକ ଶ୍ରୀ ବାଗଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଛି । ଆଦିବାସୀ ସଂଘ, ପାଟଣାଗଡ ବ୍ଲକ ସଭାପତି ଶ୍ରୀ ଭୁବନେଶ୍ୱର କୁଅଁର ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ ବିଧାୟକଙ୍କ କଟୁ ମନ୍ତବ୍ୟ ସମଗ୍ର ଆଦିବାସୀ ସମାଜର ମାନ ସମ୍ନାନ, ଇଜ୍ଜତ ମହତ, ମର୍ଯ୍ୟାଦା, ଓ ଅସ୍ମିତାକୁ କ୍ଷୁଣ୍ଣ ହୋଇଛି । ଗାଁ ଓ ସହର ରେ ଲୋକ ଆଦିବାସୀ ସମାଜର ଲୋକଙ୍କୁ ଘୃଣା, ଛି ଛାକର, ହୀନ ଦୃଷ୍ଟି ରେ ଦେଖିବେ । ଆଦିବାସୀ ସମ୍ପ୍ରଦାୟ ର ମହିଳା ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।
ଶ୍ରୀ କୁଅଁର କହିଛନ୍ତି ଯେ ଆଦିବାସୀ ସମାଜ ଦେଶର ଏକ ସମ୍ମାନିତ ଏବଂ ସାମ୍ବିଧାନିକ ଭାବେ ସ୍ୱୀକୃତ ସମ୍ପ୍ରଦାୟ। ଏପରି ସମ୍ପ୍ରଦାୟ ପ୍ରତି ବିଧାୟକ ଙ୍କ ଅପମାନଜନକ, ବେଆଇନ, ଅସମ୍ବିଧାନିକ ଟିପ୍ପଣୀ ଗ୍ରହଣୀୟ ନୁହେଁ । ତେଣୁ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନ ୧୯୮୯ ଉପଯୁକ୍ତ ଆଇନଗତ ବ୍ୟବସ୍ଥା ଗ୍ରହଣ କରିବାକୁ ପୋଲିସ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ଥାନାରେ ଅଭିଯୋଗ ଦେବା ସମୟରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅଭିଯୁକ୍ତ କୁ ଗିରଫ ନ କଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

