Homecrimeମଣ୍ଡିରୁ ଧାନ ଚୋରି ଅଭିଯୋଗ

ମଣ୍ଡିରୁ ଧାନ ଚୋରି ଅଭିଯୋଗ

କଳାହାଣ୍ଡି // ଜୟପାଟଣା, (୦୩/୦୭) : ଆପ୍ର : ସଂପ୍ରତି ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଧାନ ଚୋରି ହେଉଥିବା ଅଭିଯୋଗ ହେଇ ଆସୁଥିଲା । କିନ୍ତୁ ଜୟପାଟଣା ବ୍ଲକ୍ ଅନ୍ତର୍ଗତ ମୁଖିଗୁଡ଼ା ମଣ୍ଡିରୁ ଧାନ ଚୋରି ହେଇଥିବା ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି

ଅଭିଯୋଗ ଅନୁଯାୟୀ ମୁଖିଗୁଡ଼ା ପଂଚାୟତ ଅନ୍ତର୍ଗତ ପତିଗୁଡ଼ା ଗାଁ’ର ବିବେକାନନ୍ଦ ଚିନ୍ଦା ନାମକ ଚାଷୀ ଗତ ୨୬ ତାରିଖ ଦିନ ପ୍ରାୟ ୧୨୫ ବସ୍ତା ଧାନ ମଣ୍ଡିକୁ ନେଇଥିଲେ । ହେଲେ ଗତକାଲି ଧାନ ଉଠିବା ବେଳେ ପ୍ରାୟ ୯ ବସ୍ତା ଧାନ କମ୍ ଥିବା ଦେଖିବାକୁ ମିଳିଥିଲା । ଏନେଇ ସମ୍ପୃକ୍ତ ଚାଷୀ ଅନୁସନ୍ଧାନ କଲାବେଳେ ଆହୁରି ପ୍ରାୟ ୫ ଜଣ ଚାଷୀଙ୍କ ଧାନ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସମ୍ପୃକ୍ତ ଚାଷୀ ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ମୁଖିଗୁଡ଼ା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକଙ୍କୁ ଜଣାଇବା ପରେ ସେମାନେ ହାଲୁକା ମନ୍ତବ୍ୟ ଦେଇଥିଲେ । ଏପରିକି ସେହି ମଣ୍ଡିରେ ଥିବା ସିସିଟିଭି ତନଖି ପାଇଁ କହିବାରୁ ଉଭୟ କର୍ମଚାରୀ ଗୁରୁତ୍ଵ ଦେଲେନାହିଁ । ଫଳରେ ପୀଡ଼ିତ ଚାଷୀ ଶ୍ରୀ ଚିନ୍ଦା ମୁଖିଗୁଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣା ଜଣାପଡିବା ପରେ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏପରିକି ଅନ୍ୟ ପ୍ରାୟ ୫ ଜଣ ଚାଷୀଙ୍କ ପ୍ରାୟ ୧୫ କ୍ଵିଣ୍ଟାଲ ଧାନ ସେହି ମଣ୍ଡିରୁ ଚୋରି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ଚୋରି ବିଷୟ ପ୍ରଘଟ ନକରିବାକୁ ମଣ୍ଡିରେ ଥିବା କେତେକ ଏଜେଣ୍ଟ ଚାଷୀଙ୍କ ଉପରେ ଚାପ ପ୍ରୟୋଗ କରୁଥିବା କୁହାଯାଉଛି । କୌଣସିମତେ ଚାଷୀଙ୍କୁ ବୁଝାସୁଝା କରିବାକୁ ଏଜେଣ୍ଟ ଏବଂ ମଣ୍ଡି କର୍ମଚାରୀ ଆପ୍ରାଣ ଉଦ୍ୟମ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ସଂପ୍ରତି ଧାନ ବିକ୍ରିପାଇଁ ଚାଷୀଙ୍କୁ ଦିନ ଦିନ ଧରି ମଣ୍ଡିରେ ଅପେକ୍ଷା କରିବାକୁ ପଡୁଛି । ଅନ୍ୟପକ୍ଷରେ ମଣ୍ଡିରେ ଧାନ ପ୍ରବେଶ କରିଥିବା ତଥ୍ୟ ରହୁଥିବାରୁ, ମଣ୍ଡିରେ ସିସିଟିଭି ଲାଗିଥିବା ଯୋଗୁଁ ଚାଷୀମାନେ କେବେ କେବେ ରାତିରେ ଧାନ ଜଗୁନାହାନ୍ତି । ଏହାର ଫାଇଦା ନେଇ କେତେକ ବ୍ୟକ୍ତି ଧାନ ବସ୍ତା ସହିତ ଚୋରି କରିଥିବା ଅଭିଯୋଗ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments