ପାଟଣାଗଡ଼, (୦୬/୦୬) : ଆପ୍ର : ବେଲପଡ଼ା ଥାନା ବାଗଦୋର-ତେନ୍ତୁଳିମୁଣ୍ଡା ରାସ୍ତା ଡେବ୍ରିପାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଛନ୍ତି ।
ମୃତକ ତେନ୍ତୁଲିମୁଣ୍ଡା ଗାଁର କ୍ଷୀରଧର ବନଗୋଲା ଓରଫ୍ ଦୀନେଶ (୨୨) । ସୂଚନାଯୋଗ୍ୟ ଯେ,ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ଅଞ୍ଚଳରେ ପବନ ବୋହିବା ସହ ପ୍ରବଳ ବର୍ଷା ହୋଇଥିଲା । ଡେବ୍ରିପାଲି ଛକ ନିକଟରେ ରାସ୍ତାକଡ଼ରେ ଥିବା ଏକ ବିରାଟ ଗଛ ଭାଙ୍ଗି ରାସ୍ତାଉପରେ ପଡ଼ିଥିଲା । କ୍ଷୀରଧର ସଂଧ୍ୟାରେ କୌଣସି କାମରେ ବାଇକରେ ମଣ୍ଡଳ ଗାଁକୁ ଆସିଥିଲେ । କାଳବୈଶାଖୀ ଯୋଗୁଁ ଗାଁକୁ ଫେରି ନ ପାରି ମଣ୍ଡଳ ଗାଁ’ରେ ରହି ଯାଇଥିଲେ । ବର୍ଷା ପବନ ବନ୍ଦ ହେବାପରେ ରାତିରେ ସେ ଗାଁକୁ ଯିବାକୁ ବାହାରିଥିଲେ । ମଣ୍ଡଳ ଗାଁ’ର ଜିତୁ ବନଛୋର ଓ କଏରୁ ନାମକ ଯୁବକ କ୍ଷୀରଧରଙ୍କୁ ଗାଁରେ ଛାଡ଼ିଦେବାକୁ ତାଙ୍କ ସହ ବାଇକରେ ଆସୁଥିଲେ ।
ରାତି ପ୍ରାୟ ୮ଟା ୩୦ରେ ଡେବ୍ରିପାଲି ଛକ ନିକଟରେ ରାସ୍ତା ଉପରେ ପଡ଼ିଥିବା ଗଛ ସହ ବାଇକ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ତିନିଜଣ ଯାକ ଗୁରୁତର ହୋଇଥିଲେ । ବେଲପଡ଼ା ଅଗ୍ନିଶମ ବାହିନୀ ଗୁରୁତରଙ୍କୁ ଉଦ୍ଧାର କରି ବେଲପଡ଼ା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର କ୍ଷୀରଧରଙ୍କୁ ମୃତ ଘୋଷଣା କରିଥିବା ବେଳେ ଜିତଙ୍କୁ ବଲାଙ୍ଗିର ଭୀମ ଭୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଦୁର୍ଘଟଣାରେ କଏରୁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ବେଲପଡ଼ା ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଛି । ମୃତଦେହ ବେଲପଡ଼ା ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି ।

