ରାଉରକେଲା, (୧୪/୧୦) : ଆପ୍ର : ପଥର ଖାଦାନରେ ରେଡ୍ । ଜଙ୍ଗଲ ଜମିରେ ବେଆଇନ ଭାବେ ଚାଲିଥିବା ପଥର ଖାଦାନ ଉପରେ ବନ ବିଭାଗ ପକ୍ଷରୁ ଚଢାଉ ।
ରାଉରକେଲା ଫର୍ଟିଲାଇଜର ଏବଂ ଟାଙ୍ଗରପାଲ୍ଲୀ ଅଞ୍ଚଳରେ ଥିବା ଏହି ପଥର ଖାଦାନରୁ ପଥର ଉତ୍ତୋଳନ କରି ଚିପ୍ ତିଆରି ପାଇଁ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ କରୁଥିବା ଏକ ଘରୋଇ କମ୍ପାନୀକୁ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା । ତେବେ ପ୍ରଶକ୍ତିକରଣ କାର୍ଯ୍ୟ ସରିବା ପରେ ମଧ୍ୟ ସେହି ଖାଦାନରୁ ପଥର ଉତ୍ତୋଳନ ପାଇଁ ଖଣି ବିଭାଗ କାହାକୁ ଅନୁମତି ଦେଇ ନଥିଲା ।
ଖବର ପାଇ ପାନପୋଷ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ସେହି ଖାଦାନରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ବ୍ୟକ୍ତିମାନେ ଖାଦାନ ପରିଚାଳନା ପାଇଁ କୌଣସି ବୈଧ କାଗଜପତ୍ର କିମ୍ବା ଖଣି ବିଭାଗର ଅନୁମତି ପତ୍ର ଦେଖାଇ ପାରି ନଥିଲେ । ପରେ ବନ କର୍ମଚାରୀମାନେ ପଥର ପରିବହନ ଓ ଉତ୍ତୋଳନରେ ବ୍ୟବହୃତ ହେଉଥିବା କ୍ରସର, ଜେସିବି, ଡମ୍ପର ଏବଂ ଅନ୍ୟାନ୍ୟ ଯାନବାହନଗୁଡ଼ିକୁ ଜବତ କରିଛନ୍ତି ।

