ବଲାଙ୍ଗିର//ମୁରିବାହାଲ, (୦୭/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଇଚ୍ଛାପଡ଼ା ଗ୍ରାମପଞ୍ଚାୟତର ସରଗୁଲ ଗ୍ରାମରେ ଗତ ୫ ଅଗଷ୍ଟ ମଧ୍ୟରାତ୍ରୀରେ ଏକ ହାତୀପଲ ଆକ୍ରମଣ କରି ଅନୁସୂଚିତ ଜନଜାତିର ଗରିବ ବ୍ୟକ୍ତି ଶ୍ରୀ ଲିଙ୍ଗରାଜ ଭୋଇଙ୍କ ବାସଗୃହକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛନ୍ତି ।
ଘରେ ଥିବା ସମସ୍ତ ବାସନକୁସନ, ପୋଷାକ, ଚାଉଳ ଓ ରାସନ ସାମଗ୍ରୀ, ଶଯ୍ୟା, କବାଟ ସହ ସମସ୍ତ ଘରୋଇ ସାମଗ୍ରୀ ନଷ୍ଟ ହୋଇଯାଇଛି । ଆକ୍ରମଣରେ ଶ୍ରୀ ଲିଙ୍ଗରାଜ ଭୋଇ, ତାଙ୍କ ପତ୍ନୀ ସୁମିତ୍ରା ଭୋଇ ଏବଂ ଦୁଇ ସନ୍ତାନ ମାନସ ଭୋଇ, ମାନସୀ ଭୋଇ ଗୁରୁତର ଆହତ ହୋଇ ବର୍ତ୍ତମାନ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗିରରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରେ ପରିବାରଟି ସମ୍ପୂର୍ଣ୍ଣ ଭାବେ ଗୃହହୀନ ହୋଇ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ସୃଷ୍ଟି ହୋଇଛି । ଆଜି ପୂର୍ବତନ ବିଜେଡ଼ି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଲା ମାଝୀ ଓ ମୁରିବାହାଲ ବ୍ଲକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ରୀ ରାଜୀବ ଭୋଇଙ୍କ ଏବଂ ଆଦିବାସୀ କର୍ମକର୍ତ୍ତା ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ।
ସେମାନେ କ୍ଷୟକ୍ଷତିର ସମୀକ୍ଷା କରି ପରିବାରର ଦୁର୍ଦ୍ଦଶା ପ୍ରତି ଗଭୀର ସମବେଦନା ପ୍ରକାଶ କରିଥିଲେ । ଶ୍ରୀ ବିଶି ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀଙ୍କୁ ଚିଠି ଲେଖି ପୀଡ଼ିତ ପରିବାରକୁ ୨୦ ଲକ୍ଷ ଟଙ୍କା ସ୍ୱତନ୍ତ୍ର କ୍ଷତିପୂରଣ, ଘର ପୁନଃନିର୍ମାଣ, ସମ୍ପୂର୍ଣ୍ଣ ପୁନର୍ବାସ, ମାଗଣା ଚିକିତ୍ସା ଓ ତୁରନ୍ତ ରିଲିଫ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି । ସେହିପରି ଅଞ୍ଚଳରେ ହାତୀ-ମଣିଷ ସଂଘର୍ଷ ରୋକିବା ପାଇଁ ସ୍ଥାୟୀ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ସେ ଦାବି କରିଛନ୍ତି ।

