ଗୁଣପୁର, (୧୨/୯) : ଆପ୍ର : ରାୟଗଡ଼ା ଜିଲ୍ଲାର କୃଷକ ଉତ୍ପାଦନ ସଙ୍ଗଠନ ଗୁଡିକ ମଧ୍ୟରେ ମହୁମାଛି ପାଳନକୁ ଏକ ଲାଭଜନକ ଉଦ୍ୟୋଗ ଭାବେ ବିକଶିତ କରିବା ଉଦ୍ଦେଶ୍ୟରେ କୃଷି ବିଜ୍ଞାନ କେନ୍ଦ୍ର, ରାୟଗଡ଼ା ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା ।
ଏହି ପ୍ରଶିକ୍ଷଣ ଶିବିରରେ ଗୁଣପୁର ବ୍ଲକର ୩ ଟି କୃଷକ ଉତ୍ପାଦନ ସଙ୍ଗଠନର ୨୫ ଜଣ ବୋର୍ଡ ନିର୍ଦ୍ଦେଶକ , ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସଦସ୍ୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ ଅରବିନ୍ଦ ଦାସ ଅଧ୍ୟକ୍ଷତା କରି ମହୁମାଛି ପାଳନର ଆବଶ୍ୟକତା , ଏହାର ଆର୍ଥିକ ଗୁରୁତ୍ଵ ଓ ବ୍ୟାପକ ପ୍ରସାର ସମ୍ପର୍କରେ ଆଲୋଚନା କରିଥିଲେ । ଓ. ୟୁ .ଏ. ଟି ସର୍ବଭାରତୀୟ ସମନ୍ୱିତ ମହୁମାଛି ଗବେଷଣା ପ୍ରକଳ୍ପର ଭାରାପ୍ରାପ୍ତ ବୈଜ୍ଞାନିକା ଡଃ ପ୍ରଭାସିନୀ ବେହେରା ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ, ମହୁମାଛି ଦଳର ଗୁଣବତ୍ତା ଓ ବିଭାଜନ , ମହୁର ଗୁଣବତ୍ତା ପରୀକ୍ଷଣ ଆଦି ବିଷୟରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିସହିତ ସେ କୃଷକ ଉତ୍ପାଦନ ସଙ୍ଗଠନର ସଦସ୍ୟ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କ ସନ୍ଦେହ ଦୂର କରିଥିଲେ ।
କେନ୍ଦ୍ରର ବୈଜ୍ଞାନିକ ଶ୍ରୀ ରାଜୀବ ଟୁଡୁ ମହୁମାଛିର ବିଭିନ୍ନ କିସମ , ମହୁମାଛି ଦଳରେ ଥିବା ବିଭିନ୍ନ ଶ୍ରେଣୀର ମହୁମାଛି , ସେମାନଙ୍କ ଜୀବନଚକ୍ର ଏବଂ ମହୁମାଛି ପାଳନ ପାଇଁ ଆବଶ୍ୟକ ସାମଗ୍ରୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ କୃଷି ବିଜ୍ଞାନ କେନ୍ଦ୍ରର ଡ଼ଃ ନରମ ରାମୁ , ଡ଼ଃ ଅନିନ୍ଦିତା ରାୟ , ପରିମଲ ତରାଇ , ସୁମିତ୍ରା ମହାନ୍ତି ଓ ସୌଭାଗ୍ୟ ରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ ।

