ନବରଙ୍ଗପୁର, (୦୨/୧୦) : ଆପ୍ର : କାଜୁ ବଗିଚାରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ମୋକିଆ ଗାଁ’ରେ ଅଭାବନୀୟ ଘଟଣା ।
ଏକ କାଜୁ ବାଡ଼ରୁ ଜଣେ ଯୁବକ ଓ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାରକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଗୋଟିଏ ଗଛର ଡାଳରେ ଦୁହିଁଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଛି । ମୃତ ଯୁବକ ମୋକିଆ ଗାଁ’ର ପବିତ୍ର ଭତରା । ଚାରି ମାସ ପୂର୍ବରୁ ପବିତ୍ରଙ୍କ ବିବାହ ଅନ୍ୟ ଜଣେ ଯୁବତୀଙ୍କ ସହ ହୋଇଥିଲା । ଅନ୍ୟପଟେ ମୃତ ନାବାଳିକା ଭୋର ପ୍ରାୟ ୩ଟାରୁ ଘରେ ନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ପରେ ଶୌଚ ପାଇଁ ଯାଇଥିବା ଜଣେ ଗ୍ରାମବାସୀ କାଜୁ ବଗିଚାରେ ଦୁହିଁଙ୍କ ମୃତଦେହ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା । ପାପଡ଼ାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଏହା ପଛରେ ଥିବା ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

