ଭୁବନେଶ୍ୱର, (୧୧/୦୭) : ଆପ୍ର : ଓଡ଼ିଶାର ଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ରାଜ୍ୟ ସରକାର ‘ସୁପର ପ୍ରିମିୟମ୍ ଫୁଲ୍ ସ୍ଲିପର AC କୋଚ୍’ ନାମରେ ଏକ ନୂଆ ବସ୍ ବର୍ଗକୁ ମଞ୍ଜୁରି ଦେଇଛନ୍ତି ।
ଏହି ବସ୍ଗୁଡ଼ିକ ପାଇଁ ପ୍ରତି ଯାତ୍ରୀ କିମ୍ବା ବର୍ଥ ପିଛା କିଲୋମିଟରକୁ ସର୍ବାଧିକ ୩ ଟଙ୍କା ୫୦ ପଇସା ଭଡ଼ା ନିର୍ଦ୍ଧାରଣ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୁଲାଇ ୯ରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ନୂଆ ବ୍ୟବସ୍ଥା ଓଡ଼ିଶା ରାଜପତ୍ରରେ ପ୍ରକାଶ ପାଇବା ଦିନଠାରୁ କାର୍ଯ୍ୟକାରୀ ହେବ । ସରକାର ସ୍ପଷ୍ଟ କରିଛନ୍ତି ଯେ, ଅର୍ଡିନାରି, ଏକ୍ସପ୍ରେସ୍, ଡିଲକ୍ସ, ଡିଲକ୍ସ AC ଓ ବର୍ତ୍ତମାନର ସୁପର ପ୍ରିମିୟମ୍ ବସ୍ର ଭଡ଼ାରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୂଆ ଭଡ଼ା କେବଳ ଫୁଲ୍ ସ୍ଲିପର AC କୋଚ୍ ପାଇଁ ଲାଗୁ ହେବ । ଏହାସହ ବସ୍ରେ ଭଡ଼ା ତାଲିକା ପ୍ରଦର୍ଶନ, ଯାତ୍ରୀଙ୍କ ପାଇଁ ରିହାତି, ମାଗଣା ଲଗେଜ୍ ସୁବିଧା, ଅତିରିକ୍ତ ଲଗେଜ୍ ଶୁଳ୍କ ଓ ଅନ୍ୟାନ୍ୟ ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିବ ।
ସରକାର କହିଛନ୍ତି, ୩ ଟଙ୍କା ୫୦ ପଇସା ପ୍ରତି କିଲୋମିଟର ହେଉଛି ସର୍ବାଧିକ ଭଡ଼ା ସୀମା । ଏହାଠାରୁ ଅଧିକ ଭଡ଼ା ଆଦାୟ କଲେ ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ନିୟମ ପାଳନ ନିଶ୍ଚିତ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ (STA) ଓ ଆଞ୍ଚଳିକ ପରିବହନ ପ୍ରାଧିକରଣ (RTA)କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୬ର ସାମଗ୍ରିକ ବସ୍ ଭଡ଼ା ସଂଶୋଧନ ସମ୍ପର୍କିତ ଟେକ୍ନିକାଲ୍ କମିଟିର ରିପୋର୍ଟ ଆସିବା ପରେ ଏହି ଭଡ଼ାରେ ଆବଶ୍ୟକ ହେଲେ ପୁନର୍ବାର ପରିବର୍ତ୍ତନ କରାଯାଇପାରେ ।

