ବଲାଙ୍ଗିର, (୧୪/୧୦) : ଆପ୍ର : ପଶ୍ଚିମ ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତରେ ଦୁଲୁକିଲା ମଞ୍ଚ । ବଲାଙ୍ଗିର ସାଂସ୍କୃତିକ ଅନୁଷ୍ଠାନ ‘ଏକତା’ ପକ୍ଷରୁ ଆୟୋଜିତ ତିନିଦିନିଆ ଏକତା କଳା ଉତ୍ସବ-୨୦୨୬ ଉଦ୍ଯାପିତ ହୋଇଯାଇଛି ।
ଅକ୍ଟୋବର ୯, ୧୦ ଓ ୧୧ ତାରିଖ, ତିନିଦିନ ଧରି ଚାଲିଥିଲା ଏହି କଳା ଓ ସଂସ୍କୃତିର ମହାକୁମ୍ଭ । ସମ୍ବଲପୁରୀ ଲୋକନୃତ୍ୟ, ଗୀତ ଓ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ମଞ୍ଚରେ ଦେଖିବାକୁ ମିଳିଥିଲା ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳାର ଝଲକ । ଘୁଡ୍କା, ଦୁଲଦୁଲି, ବଜନିଆ, ଛୁଟ୍କୁ ଛୁଟା, ଡାଲଖାଇ ଓ ରସରକେଲି ଭଳି ପାରମ୍ପରିକ କଳାରେ ଝୁମିଥିଲେ ଦର୍ଶକ । ଏହା ସହ ଦୁଇଦିନ ଧରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିଲା ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା । ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସରିତା ବାଗ ଏବଂ ମୁଖ୍ୟବକ୍ତା ଭାବେ ନାରାୟଣ ପ୍ଲେ ସ୍କୁଲର ଅଧ୍ୟକ୍ଷ ଦିବ୍ୟନାରାୟଣ ମିଶ୍ର ଯୋଗ ଦେଇଥିଲେ । ମହିଳା ସମିତିର ସଦସ୍ୟାମାନେ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ଏକତା ଅନୁଷ୍ଠାନର ସମ୍ପାଦକ ସୁବଳ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

