ବାସୁଦେବପୁର, (୦୫/୧୦) : ଆପ୍ର : ରେସନକାର୍ଡରେ ପରିବାର ସଦସ୍ୟଙ୍କ ନାମ ଯୋଡ଼ିବାକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପରିସରରେ ସୋମବାର ଉତ୍ତେଜନା ସୃଷ୍ଟି ହୋଇଛି ।
ବାରମ୍ବାର କାର୍ଯ୍ୟାଳୟକୁ ଆସି ନିରାଶ ହେଉଥିବା ଆଶାୟୀମାନେ ଯୋଗାଣ ନିରୀକ୍ଷକଙ୍କୁ ଘେରିବା ସହ କୈଫିୟତ ତଲବ କରିଥିଲେ। ପରେ କେତେକ ଆଶାୟୀ କାର୍ଯ୍ୟାଳୟ ଭିତରକୁ ପଶି ଯୋଗାଣ ନିରୀକ୍ଷକଙ୍କ ସହ ଟଣାଓଟରା କରିଥିବା ଅଭିଯୋଗ ହୋଇଛି । ଘଟଣା ସମୟରେ ଟେବୁଲ ଉପରେ ଥିବା କାଗଜପତ୍ରକୁ ଉଠାଇ ଅନ୍ୟ ଟେବୁଲରେ ପକାଇ ଦିଆଯାଇଥିବା ଜଣାପଡ଼ିଛି । ଫଳରେ କିଛି ସମୟ ପାଇଁ କାର୍ଯ୍ୟାଳୟ ପରିସରରେ ଅସ୍ୱାଭାବିକ ପରିସ୍ଥିତି ଓ ଉତ୍ତେଜନା ଲାଗିରହିଥିଲା । ଆଶାୟୀମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ତିନି ବର୍ଷ ଧରି ରେସନକାର୍ଡରେ ପିଲାମାନଙ୍କ ନାମ ଯୋଡ଼ିବା ପାଇଁ ସେମାନେ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି ।
କିନ୍ତୁ ପ୍ରତିଥର ‘ସାଇଟ୍ ଖୋଲୁନାହିଁ’ ବୋଲି କହି ସେମାନଙ୍କୁ ଫେରାଇ ଦିଆଯାଉଛି । ଏହାକୁ ନେଇ ଆଶାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିବାବେଳେ ଭିତିରିଆ ଭାବେ ଟଙ୍କା ଦେଉଥିବା ଲୋକଙ୍କ ପିଲାଙ୍କ ନାମ ରେସନକାର୍ଡରେ ଯୋଡ଼ାଯାଉଥିବା ନେଇ କେତେକ ଆଶାୟୀ ଅଭିଯୋଗ କରିଛନ୍ତି । ଏପରିକି କେତେକ ପରିବାର ସଦସ୍ୟଙ୍କ ଚିକିତ୍ସା ଓ ଅପରେସନ ପାଇଁ ସରକାରୀ ଯୋଜନାରେ ମେଡିକାଲ ସୁବିଧା ନେବାକୁ ଚାହୁଁଥିଲେ ମଧ୍ୟ ରେସନକାର୍ଡରେ ନାମ ନଥିବାରୁ ସେମାନେ ସମସ୍ୟାରେ ପଡ଼ୁଥିବା କହିଛନ୍ତି। ଖବର ପାଇ ଏବିଡିଓ ଓ ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଆଶାୟୀମାନଙ୍କ ସହ ଆଲୋଚନା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।

