Homelocalମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ

ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ

ଭୁବନେଶ୍ୱର, (୧୧/୧୧) : ଆପ୍ର : ଭତ୍ତା ପାଇଁ ଆଉ ବର୍ଷ ବର୍ଷ ଅପେକ୍ଷା ନାହିଁ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ ।

ଆବେଦନ ମଞ୍ଜୁରିର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା, upmp ପୋର୍ଟାଲ୍ ରେ ସରଳ ହେବ ସମ୍ପୂର୍ଣ୍ଣ ପ୍ରକ୍ରିୟା। ସାମାଜିକ ସୁରକ୍ଷା ଭତ୍ତାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ଭତ୍ତା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପେନସନ୍ । ଏଥିସହ ମଧୁବାବୁ ପେନସନ୍ ଯୋଜନାରେ ଆଉ ୫ ଲକ୍ଷ ୫ ହଜାର ୮୧୭ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ବାଲେଶ୍ୱର ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ଆୟୋଜିତ ସାମାଜିକ ସୁରକ୍ଷା ଭତ୍ତା ସମ୍ପୂର୍ଣ୍ଣତା କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍ ବା upmpର ଉନ୍ମୋଚନ କରିଛନ୍ତି। ଏହି ନୂଆ ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ସାମାଜିକ ସୁରକ୍ଷା ଭତ୍ତା ପାଇଁ ଆବେଦନଠାରୁ ଆରମ୍ଭ କରି ଯାଞ୍ଚ, ମଞ୍ଜୁରି ଓ ହିତାଧିକାରୀଙ୍କ ପେନସନ୍ ପରିଚାଳନା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସରଳ ଓ ସୁବ୍ୟବସ୍ଥିତ କରାଯିବ । ଏଣିକି ଯୋଗ୍ୟ ବ୍ୟକ୍ତିମାନେ ଘରେ ବସି ଅନଲାଇନ୍ ରେ ଭତ୍ତା ପାଇଁ ଆବେଦନ କରିପାରିବେ ।

ଏଥିସହ ବିଡିଓ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିବାର ସୁବିଧା ରହିବ । ଆବେଦନ ମଞ୍ଜୁର ହେବା ପରେ ଆଉ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ମାସରୁ ହିଁ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ । ନୂଆ ବ୍ୟବସ୍ଥାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ୮୦ ବର୍ଷ ବୟସ ପୂରଣ କରୁଥିବା ହିତାଧିକାରୀଙ୍କ ପାଇଁ ସ୍ୱୟଂଚାଳିତ ଭତ୍ତା ବୃଦ୍ଧି ।

ଜଣେ ହିତାଧିକାରୀଙ୍କ ବୟସ ୮୦ ବର୍ଷ ହେଲେ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ତାଙ୍କୁ ଆଉ ନୂଆ ଆବେଦନ କରିବାକୁ ପଡ଼ିବ ନାହିଁ । ନିର୍ଦ୍ଧାରିତ ନିୟମ ଅନୁସାରେ ପୋର୍ଟାଲ୍ ମାଧ୍ୟମରେ ସ୍ୱୟଂଚାଳିତ ଭାବେ ବର୍ଦ୍ଧିତ ଭତ୍ତା ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ନୂଆ ହିତାଧିକାରୀଙ୍କୁ ଅକ୍ଟୋବର ୨୦୨୬ରୁ ଭତ୍ତା ପ୍ରଦାନ କରାଯିବ । ନୂଆ ହିତାଧିକାରୀ ସାମିଲ ହେବା ପରେ ରାଜ୍ୟରେ ମୋଟ ପେନସନ୍ ହିତାଧିକାରୀଙ୍କ ସଂଖ୍ୟା ୫୦ ଲକ୍ଷ ୫ ହଜାର ୮୧୭ରେ ପହଞ୍ଚିଥିବା କୁହାଯାଇଛି ।

ଚଳିତ ବଜେଟରେ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ସାମିଲ କରିବାକୁ ସରକାର ଘୋଷଣା କରିଥିଲେ । ସେହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷକରି ବୟସ୍କ ବ୍ୟକ୍ତି, ବିଧବା, ଦିବ୍ୟାଙ୍ଗ ଏବଂ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପାଇବା ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ନପଡ଼ିବା ନୂଆ ପୋର୍ଟାଲ୍ ର ଅନ୍ୟତମ ଉଦ୍ଦେଶ୍ୟ । ପେନସନ୍ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା, ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଠିକ୍ ସମୟରେ ଭତ୍ତା ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments