ମୁରିବାହାଲ, ତା ୯।୮।୨୬ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମରେ ବିଶ୍ୱ ଆଦିବାସୀ ଦିବସ ଧୁମଧାମରେ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଆଦିବାସୀ ସମାଜର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଶିକ୍ଷାର ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର କମିଟି ସଭାପତି ଚିନ୍ତାମଣି ଭୋଇ ମୁଖ୍ୟ ଅତିଥି ଏବଂ ଯୁବରାଜ ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।
କେନ୍ଦ୍ର କମିଟି ସମ୍ପାଦକ ପ୍ରଦୀପ କୁମାର ମାଝୀଙ୍କ ସମେତ ଉତ୍କଳ କନ୍ଧ ସମାଜ ବଙ୍ଗୋମୁଣ୍ଡା ଶାନ୍ତି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପ୍ରଥମେ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ବେଶଭୂଷା ଓ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ସହ ଡକାବାଦ୍ୟର ତାଳେତାଳେ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ଗ୍ରାମର ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଗ୍ରାମ ପଡ଼ିଆରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଅତିଥିମାନେ ଆଦିବାସୀ ସମାଜର ଉନ୍ନତି ପାଇଁ ଶିକ୍ଷାର ପ୍ରସାର ସହ ନିଜ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା ଉପରେ ଆଲୋକପାତ କରିଥିଲେ। ନେତ୍ରମଣୀ ଭୋଇ ସଭା ପରିଚାଳନା କରିଥିବାବେଳେ ଈଶ୍ୱର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଦେବଙ୍ଗ ଗ୍ରାମବାସୀ ସହଯୋଗ କରିଥିଲେ।

