ଦେଓଗାଁ, (୨୯/୦୯) : ଆପ୍ର : ଓଡ଼ିଆ ଭାଷା, ସାହିତ୍ୟ, ଲୋକକଳା ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ସହ ଯୁବପିଢ଼ିଙ୍କୁ ନିଜ ମାଟି ଓ ପରମ୍ପରା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଶିକେରପାଟ୍ ୟୁଥ୍ କ୍ଲବ ପକ୍ଷରୁ ଜାମୁଟ ହାଇସ୍କୁଲ ଖେଳପଡ଼ିଆରେ ‘ନୂଆଁଖାଇ ଭେଟ୍ଘାଟ୍–୨୦୨୬’ ଉତ୍ସାହ ଓ ଜନସମାଗମ ମଧ୍ୟରେ ଆୟୋଜିତ ହୋଇଯାଇଛି ।
କ୍ଲବ ସଭାପତି ରାମଦାସ ରଣାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସଭାରେ ଗୁଡଭେଲା ବ୍ଲକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ ଯୋଗଦେଇ ଯୁବଗୋଷ୍ଠୀଙ୍କ ଏଭଳି ପ୍ରୟାସକୁ ସ୍ୱାଗତ କରିଥିଲେ । ଯୁବପିଢ଼ି ଆଗେଇ ଆସିଲେ ଲୋକକଳା, ଲୋକସଙ୍ଗୀତ ଓ ଆଞ୍ଚଳିକ ସଂସ୍କୃତିର ସୁରକ୍ଷା ସହ ଏହାର ବିକାଶ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଉପେନ୍ଦ୍ର ବେହେରା ନୂଆଁଖାଇ ପର୍ବର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଅଭିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଜାମୁଟ ସରପଞ୍ଚ ଭାବସିଂ ମାଝୀ, ସମାଜସେବୀ ଅଭିରାମ ରଣା, ବିଶ୍ୱାମିତ୍ର ପଧାନ, କାଳାରାମ ରଣା ଓ ଅନିରୁଦ୍ଧ ବେହେରା ପ୍ରମୁଖ ଯୋଗଦେଇଥିଲେ ।
ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ବକ୍ତୃତା, ଗୀତ, ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ସଭାକୁ ଲମ୍ବୋଦର ମନହିରା ପରିଚାଳନା କରିଥିବା ବେଳେ ମହେନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସନ୍ଧ୍ୟାରେ ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାମ ନିବାସ ଅଗ୍ରୱାଲ ମୁଖ୍ୟ ଅତିଥି ଏବଂ ହାସ୍ୟକବି ଦେବେନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ତୁଷୁରା ଏନ୍ଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଳ, ଗୁଡଭେଲା ବ୍ଲକ ସାଂସଦ ପ୍ରତିନିଧି ଦିନବନ୍ଧୁ ବେହେରା, କଣ୍ଟାମାଳ ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା ଓ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ ପ୍ରମୁଖ ଯୋଗଦେଇଥିଲେ ।
ଏହାଛଡ଼ା ଗମ୍ଭାରିଗୁଡ଼ା ସରପଞ୍ଚ ଇନ୍ଦ୍ର ଭୋଇ, ସମାଜସେବୀ ତଥା ଶିକ୍ଷାବିତ୍ ନିଳାଞ୍ଚଳ ଭୋଇ, ସତ୍ୟନାରାୟଣ ମାଝୀ, ଅନୁକୂଳ ରଣା, ହାସ୍ୟକବି ଶିଶିର ପୁରୋହିତ, କରୁଣାକର ସାହୁଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ନୂତନ କଳା ସଂସଦ, କନ୍ଧମାଳ; ପ୍ରତିଭା ଅନୁଷ୍ଠାନ, ଭବାନୀପାଟଣା; ସାତକୁଆଁରୀ ଅନୁଷ୍ଠାନ, ପାଟଣାଗଡ଼; ବଜାଶାଳ, ମଳମୁଣ୍ଡା; ଶିକେରପାଟ୍ ଢାକା ନାଚ, ରାଜକେଲ; ଶିକେରପାଟ୍ କଳାପରିଷଦ ଓ ରହେଳମାଳ ସମେତ ବିଭିନ୍ନ ଅଞ୍ଚଳରୁ ୩୦ରୁ ଊର୍ଦ୍ଧ୍ୱ କଳାକାର ଯୋଗଦେଇ ଲୋକନୃତ୍ୟ, ଲୋକସଙ୍ଗୀତ ଓ ପାରମ୍ପରିକ କଳା ପରିବେଷଣ କରିଥିଲେ । ଏହି ପରିବେଷଣ ଦର୍ଶକଙ୍କୁ ଆଞ୍ଚଳିକ ଲୋକକଳା ଓ ସଂସ୍କୃତିର ବିଭିନ୍ନ ରୂପ ସହ ପରିଚିତ କରାଇଥିଲା ।
ଏହି ଅବସରରେ ସୈନିକ, କୃଷି, କ୍ରୀଡ଼ା, କଳା ଓ ସାମାଜିକ ସେବା ସମେତ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ଓ ଅବଦାନ ପାଇଁ ପରିଚିତି ହାସଲ କରିଥିବା ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ମାଧ୍ୟମରେ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସମଗ୍ର କାର୍ଯ୍ୟକ୍ରମକୁ କ୍ଲବର ସଦସ୍ୟ ଲମ୍ବୋଦର ମନହିରା ସଂଯୋଜନା କରିଥିବା ବେଳେ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶିକେରପାଟ୍ ୟୁଥ୍ କ୍ଲବର ସଦସ୍ୟ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଯୁବକମାନଙ୍କ ସକ୍ରିୟ ସହଯୋଗରେ ‘ନୂଆଁଖାଇ ଭେଟ୍ଘାଟ୍–୨୦୨୬’ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

