ରାୟଗଡା, (୦୩/୧୧) : ଆପ୍ର : ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଗତ ଛାତ୍ର ସଂସଦ ନିର୍ବାଚନରେ କଥିତ ଅନିୟମିତତା, ପରିଚାଳନାଗତ ବିଫଳତା ଏବଂ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଉଠିଥିବା ଗୁରୁତର ପ୍ରଶ୍ନ ସମ୍ପର୍କରେ ଆଜି ରାୟଗଡା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ ଦାଖଲ କରିଛି ବିଜୁ ଛାତ୍ର ଜନତା ଦଳ ।
ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ଜଗଦୀଶ ନାୟକ ଓ ଉପସଭାପତି ପ୍ରାର୍ଥୀ ବାବୁଲା ନାଏକ ଏହି ଅଭିଯୋଗ ଦାଖଲ କରି ନିର୍ବାଚନ ପରିଚାଳନାରେ ହୋଇଥିବା କଥିତ ତ୍ରୁଟି ଓ ଅନିୟମିତତାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ନିୟମାନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କଲେଜର ନିର୍ବାଚନ ଅଧିକାରୀମାନେ ସମଗ୍ର ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବାରେ ବିଫଳ ହୋଇଥିବା ନେଇ ପ୍ରଶ୍ନ ଉଠିଛି । ବିଶେଷକରି, ନିର୍ବାଚନ ଦିନ ବୁଥ୍ ଏଜେଣ୍ଟମାନଙ୍କୁ କଲେଜ ଗେଟ୍ ବାହାରକୁ ପଠାଇ ଦିଆଯାଇଥିବା ଅଭିଯୋଗ ନିର୍ବାଚନର ସ୍ୱଚ୍ଛତା ଓ ନିରୀକ୍ଷଣ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି ।
ଏହା ସହିତ, ନିର୍ବାଚନ ଫଳାଫଳ ପ୍ରକାଶ ପରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଥମି ନଥିଲା । ଛାତ୍ରମାନେ ପରଦିନ ପର୍ଯ୍ୟନ୍ତ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ପ୍ରତିବାଦ ଜାରି ରଖିଥିବା ଘଟଣା ନିର୍ବାଚନ ପରିଚାଳନାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷକୁ ପ୍ରତିଫଳିତ କରୁଛି । ଏହି ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ଆବଶ୍ୟକ ବୋଲି ଦଳ ଦାବି କରିଛି ।
ଅଭିଯୋଗକାରୀ ଛାତ୍ର ନେତାମାନେ ନିର୍ବାଚନ ଦିନର CCTV ଫୁଟେଜ୍ ସୁରକ୍ଷିତ ରଖିବା, ଭୋଟବାକ୍ସ ସ୍ଥାନାନ୍ତରଣ ସମ୍ପର୍କିତ ଅଭିଯୋଗର ତଦନ୍ତ କରିବା ଏବଂ ନିର୍ବାଚନ ପରଦିନ ଦାଖଲ ହୋଇଥିବା FIRର ପଞ୍ଜୀକରଣ ସ୍ଥିତି ସ୍ପଷ୍ଟ କରିବା ପାଇଁ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ଗତ ୧୫ ଦିନ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କ ପର୍ଯ୍ୟନ୍ତ ଅଭିଯୋଗ ଜଣାଯାଇଥିବା ସତ୍ତ୍ୱେ ଏହାର ସମାଧାନ ପାଇଁ ଠୋସ୍ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଦଳ ମତ ପ୍ରକାଶ କରିଛି ।
ବିଜୁ ଛାତ୍ର ଜନତା ଦଳର ଦାବି: ଛାତ୍ର ସଂସଦ ନିର୍ବାଚନ କୌଣସି ଔପଚାରିକତା ନୁହେଁ; ଏହା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରର ପ୍ରତୀକ । ନିର୍ବାଚନ ପରିଚାଳନାରେ ଅବହେଳା, ପକ୍ଷପାତ କିମ୍ବା ଅନିୟମିତତା ସମ୍ପର୍କିତ ଅଭିଯୋଗକୁ ଅଣଦେଖା କରାଯିବା ଉଚିତ ନୁହେଁ । ତେଣୁ ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ, ସମ୍ପୃକ୍ତ ପ୍ରମାଣର ସୁରକ୍ଷା ଏବଂ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଭୂମିକାର ନିୟମାନୁସାରେ ସମୀକ୍ଷା କରାଯାଉ । ବିଜୁ ଛାତ୍ର ଜନତା ଦଳ ସ୍ପଷ୍ଟ କରୁଛି ଯେ, ଛାତ୍ରଛାତ୍ରୀଙ୍କ ନ୍ୟାୟସଙ୍ଗତ ଦାବି ଓ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ଦଳ ଗଣତାନ୍ତ୍ରିକ ଉପାୟରେ ନିଜର ଲଢ଼େଇ ଜାରି ରଖିବ ।

