ଯାଜପୁର, (୨୫/୦୮) : ଆପ୍ର : ବିପଦ ସଂକେତ ଉପରେ ବୈତରଣୀ । ଆଖୁଆପଦା, ବଲ୍ଳଭିଘାଟ ଓ ଦଶରଥପୁର ଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।
ବୈତରଣୀ ଓ ଖରସ୍ରୋତାରେ ବନ୍ୟା ଆସିବା ଫଳରେ ବେହାଲ ଦଶରଥପୁର ଓ ବିଂଝାରପୁର ବ୍ଲକ । ବୈତରଣୀରେ ଆଖୁଆପଦା ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୧୮.୪୪ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ । ବ୍ରାହ୍ମଣୀ ନଦୀରେ ଜେନାପୁର ଠାରେ ବିପଦ ସଙ୍କେତ ୬୭ଫୁଟ ଥିବା ବେଳେ ଏବେ ଏହା ୬୪ ଫୁଟ ତଳେ ପ୍ରବାହିତ ହେଉଛି। ପୂର୍ଵ ବନ୍ୟା ରେ ସୃଷ୍ଟି ହୋଇଥିବା ଘାଇ ବାଟେ ପୁଣି ଗାଁକୁ ବନ୍ୟାପାଣି ମାଡୁଥିବାରୁ ତଳିଆ ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି ।
ବନ୍ୟା ଦ୍ୱାରା ଦଶରଥପୁର ବ୍ଳକର ୧୯ ଗ୍ରାମପଂଚାୟତର ୬୨ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ବିଂଝାରପୁର ବ୍ଲକର ୭ଗୋଟି ପଞ୍ଚାୟତର ୨୦ରୁ ଊର୍ଦ୍ଧ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଫଳରେ ବ୍ରାହ୍ମଣୀ ଓ ଖରସ୍ରୋତା ପ୍ରଭାବରେ ବରୀ ବ୍ଲକରେ ଏବେ ବି ଜଟିଳ ସ୍ଥିତି । ଗାଁ ଦାଣ୍ଡରେ ଲହଡି ମାରୁଛି ବନ୍ୟାଜଳ । କିଏ ପଡ଼ୋଶୀ ଘରେ ତ ଆଉ କିଏ ଆଶ୍ରୟସ୍ଥଳୀରେ ଜୀବନ ବିତାଉଛନ୍ତି। ବ୍ୟାପକ ଚାଷଜମି ଜଳମଗ୍ନ ହୋଇରହିବା ଫଳରେ ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ବନ୍ୟା ଓ ଲଗାଣ ବର୍ଷା ପ୍ରଭାବରେ ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକ ସମେତ ୫ଟି ବ୍ଲକର ମୋଟ ୯୩ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

