Homelocalବାତ୍ୟା ଆସିବ, ହେଲେ କେଉଁଠି କରିବ ତାଣ୍ଡବ? ‘ଅକଭାନ୍’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼...

ବାତ୍ୟା ଆସିବ, ହେଲେ କେଉଁଠି କରିବ ତାଣ୍ଡବ? ‘ଅକଭାନ୍’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ

ଭୁବନେଶ୍ୱର, (୧୫/୧୧) : ଆପ୍ର : ବାତ୍ୟା ‘ଅକଭାନ୍ ’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ । ବାତ୍ୟା ପାଇଁ ୩ଟି ସମ୍ଭାବ୍ୟ ଗତିପଥ, ତାମିଲନାଡୁ-ଆନ୍ଧ୍ର, ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଓ ମିଆଁମାର ଉପକୂଳକୁ ନେଇ ଆକଳନ ।

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅକଭାନ୍ ’ର ଗତିପଥକୁ ନେଇ ଭିନ୍ନ ଭିନ୍ନ ଆକଳନ ସାମ୍ନାକୁ ଆସୁଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ୱେଦର ବାତ୍ୟାର ତିନୋଟି ସମ୍ଭାବ୍ୟ ଗତିପଥ ସମ୍ପର୍କରେ ସୂଚନା ଦେଇଛି । ଏହା ମଧ୍ୟରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ, ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଏବଂ ମିଆଁମାର ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି ।

ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ସ୍କାଏମେଟ୍ ପ୍ରକାଶ କରିଥିବା ପୂର୍ବାନୁମାନ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ସିଷ୍ଟମ୍ ର ଗତିପଥରେ ପରିବର୍ତ୍ତନ ହୋଇପାରେ । ବିଶେଷକରି ବାତ୍ୟା ସମୁଦ୍ର ମଧ୍ୟରେ ଦିଗ ପରିବର୍ତ୍ତନ କଲେ ଏହାର ପ୍ରଭାବ ପଡ଼ିବାକୁ ଥିବା ଉପକୂଳ ଅଞ୍ଚଳ ମଧ୍ୟ ବଦଳିଯାଇପାରେ । ପ୍ରଥମ ସମ୍ଭାବ୍ୟ ଗତିପଥ: ବାତ୍ୟା ଶକ୍ତିଶାଳୀ ହୋଇ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ । ଏପରି ହେଲେ ଦକ୍ଷିଣ ଭାରତର ପୂର୍ବ ଉପକୂଳରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିବ ।

ଦ୍ୱିତୀୟ ସମ୍ଭାବ୍ୟ ଗତିପଥ: ବାତ୍ୟା ବଙ୍ଗୋପସାଗର ମଧ୍ୟରେ ଉତ୍ତର କିମ୍ବା ଉତ୍ତରପୂର୍ବ ଦିଗକୁ ମୋଡ଼ ନେଇପାରେ । ଏହି ପରିସ୍ଥିତିରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ଏଡ଼ାଇ ବାତ୍ୟା ଆହୁରି ଉତ୍ତର ଦିଗକୁ ଗତି କରିପାରେ। ଏପରି ହେଲେ ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଉପକୂଳ ପ୍ରତି ବିପଦ ବଢ଼ିପାରେ । ନଭେମ୍ବର ୧୩ ତାରିଖର ପରବର୍ତ୍ତୀ ରିପୋର୍ଟରେ ଏହି ସମ୍ଭାବନା ଉପରେ ଗୁରୁତ୍ୱ ଦିଆଯାଇଛି ।

ତୃତୀୟ ସମ୍ଭାବ୍ୟ ଗତିପଥ: ବାତ୍ୟା ଆଗୁଆ ଉତ୍ତରପୂର୍ବ ଦିଗକୁ ମୋଡ଼ ନେଇ ମିଆଁମାର ଉପକୂଳ ଆଡ଼କୁ ଗତି କରିପାରେ । ତେବେ ନଭେମ୍ବର ୧୦ ତାରିଖର ସ୍କାଏମେଟ୍ ଆକଳନରେ ଏହି ସମ୍ଭାବନାକୁ ଅପେକ୍ଷାକୃତ କମ୍ ଗୁରୁତ୍ୱ ଦିଆଯାଇଥିଲା । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡିର ନଭେମ୍ବର ୧୪ ତାରିଖର ବୁଲେଟିନ୍ ରେ ଭିନ୍ନ ଆକଳନ ଦେଖିବାକୁ ମିଳିଛି । ଆଇଏମଡିର ମଲ୍ଟି ମଡେଲ୍ ଏନସେମ୍ବଲ୍ ସମେତ ଅଧିକାଂଶ ମଡେଲ୍ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସଙ୍କେତ ଦେଇଛନ୍ତି । କିନ୍ତୁ ଆଇଏମଡି ଜିଏଫଏସ୍ ମଡେଲ୍ ମିଆଁମାର ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ଦର୍ଶାଇଛି ।

ବାତ୍ୟା ସୃଷ୍ଟି ହେବାର ସମୟକୁ ନେଇ ମଧ୍ୟ ଆକଳନରେ ପାର୍ଥକ୍ୟ ରହିଛି । ନଭେମ୍ବର ୧୩ ତାରିଖରେ ପ୍ରକାଶିତ ସ୍କାଏମେଟ୍ ସମ୍ପର୍କିତ ରିପୋର୍ଟରେ ନଭେମ୍ବର ୧୮ ଆଖପାଖରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦର୍ଶାଯାଇଥିଲା । ଅନ୍ୟପକ୍ଷରେ ଆଇଏମଡିର ନଭେମ୍ବର ୧୪ ବୁଲେଟିନ୍ ଅନୁସାରେ ନଭେମ୍ବର ୧୬ରେ ବାତ୍ୟା ଏବଂ ନଭେମ୍ବର ୧୮ ସକାଳ ସୁଦ୍ଧା ଭୀଷଣ ବାତ୍ୟା ସୃଷ୍ଟି ହୋଇପାରେ ।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସମ୍ଭାବ୍ୟ ବାତ୍ୟା କେଉଁ ଦିଗକୁ ଗତି କରିବ ଏବଂ କେଉଁ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ? ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ପାଣିପାଗ ମଡେଲ୍ ଗୁଡ଼ିକ ମଧ୍ୟରେ ମତଭେଦ ରହିଥିବାରୁ ବର୍ତ୍ତମାନ କୌଣସି ଗୋଟିଏ ଗତିପଥକୁ ଚୂଡ଼ାନ୍ତ ବୋଲି କୁହାଯାଇପାରିବ ନାହିଁ । ପରବର୍ତ୍ତୀ ପାଣିପାଗ ବୁଲେଟିନ୍ ରୁ ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments