ବୌଦ୍ଧ, (୧୭/୧୧) : ଆପ୍ର : ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ନିଜର ପ୍ରତିବଦ୍ଧତା ସହିତ ଆଉ ଏକ ପାଦ ଆଗକୁ ବଢିଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ।
ଏହି କ୍ରମରେ ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଗୁନ୍ଦୁଳିଆଠାରେ ଏକ ନୂତନ ୩୩/୧୧ କେଭି ପ୍ରାଥମିକ ସବ୍ଷ୍ଟେସନ୍ (ପିଏସ୍ଏସ୍) ଉଦ୍ଘାଟନ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ । ଏଥିସହିତ ଭୋଲ୍ଟେଜ୍ର ଗୁଣବତ୍ତାରେ ଉନ୍ନତି ଆସିବ ଏବଂ ଅଞ୍ଚଳରେ ବଢ଼ୁଥିବା ବିଦ୍ୟୁତ ଚାହିଦା ପୂରଣ ହୋଇପାରିବ । ଏହାଦ୍ୱାରା ଗୁନ୍ଦୁଳିଆ ଓ ଏହାର ଆଖପାଖ ଅଞ୍ଚଳର ଉପଭୋକ୍ତାମାନେ ଉନ୍ନତ ବିଦ୍ୟୁତ ସେବା ପାଇପାରିବେ ।
ଏହି ସବ୍ଷ୍ଟେସନ୍କୁ କହ୍ନାଇ ଚରଣ ଡାଙ୍ଗ ମାନ୍ୟବର ବିଧାୟକ, କଣ୍ଟାମାଳ ତଥା ବୌଦ୍ଧ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍; ବିଭୂତି ଭୂଷଣ ନାୟକ, ଆଇଏଏସ୍, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ବୌଦ୍ଧ ; ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଇଂ. ରାକେଶ ତ୍ରିପାଠୀ ଉପସ୍ଥିତ ଥିଲେ । ଏଥିସହ ଶ୍ରୀ ଡି.ଆର୍. ଧର୍ମାଧିକାରୀ, ଚିଫ୍ ଟେକ୍ନିକାଲ ସର୍ଭିସେସ୍, ଟିପିଏସ୍ଓଡିଏଲ୍; ଜୋନାଲ୍ ମୁଖ୍ୟ ଶ୍ରୀ ପ୍ରତାପ କେଶରୀ ସାହୁ, ସର୍କଲ୍ ମୁଖ୍ୟ ଶ୍ରୀ ଅଭିଜିତ୍ ପାଢ଼ୀ ଏବଂ ଡିଭିଜନ୍ ମୁଖ୍ୟ ଶ୍ରୀ ନରେଶ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।
ଓଡ଼ିଶା ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ସୁଦୃଢ଼ୀକରଣ ପ୍ରକଳ୍ପ (ଓଡିଏସ୍ଏସ୍ପି -୪) ଅଧୀନରେ ଏହି ସବ୍ଷ୍ଟେସନ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଠାରେ ୫ ଏମ୍ଭିଏ କ୍ଷମତା ବିଶିଷ୍ଟ ଦୁଇଟି ପାୱାର୍ ଟ୍ରାନ୍ସଫର୍ମର (ପିଟିଆର୍) ସ୍ଥାପନ କରାଯାଇଛି । ଫଳରେ ଏହି ସବ୍ଷ୍ଟେସନ୍ର ମୋଟ କ୍ଷମତା ୧୦ ଏମ୍ଭିଏ ରହିଛି । ଏହା ଅଞ୍ଚଳର ବିଦ୍ୟୁତ ବଣ୍ଟନ ନେଟୱର୍କକୁ ଅଧିକ ସୁଦୃଢ଼ କରିବା ସହ ବଢ଼ୁଥିବା ବିଦ୍ୟୁତ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ।
ପୂର୍ବରୁ ଗୁନ୍ଦୁଳିଆ ଅଞ୍ଚଳକୁ ମୁଖ୍ୟତଃ ବାଉଁଶୁଣୀ ପ୍ରାଥମିକ ସବ୍ଷ୍ଟେସନ୍ରୁ ବିଦ୍ୟୁତ ଯୋଗାଣ କରାଯାଉଥିଲା । ନୂତନ ଗୁନ୍ଦୁଳିଆ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ ହେବା ପରେ ଶଗଡ଼ା, ଗୋଛାପଡ଼ା, ତିଲିପଙ୍କା ଓ ଖଜୁରିପଡ଼ା ନାମରେ ଚାରୋଟି ସ୍ୱତନ୍ତ୍ର ୧୧ କେଭି ଫିଡର୍ ମାଧ୍ୟମରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ଏହାଦ୍ୱାରା ବିଦ୍ୟୁତ ଲୋଡ୍ର ସଠିକ୍ ପରିଚାଳନା, ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ ଅଧିକ ସୁବିଧା ଏବଂ ଆଖପାଖ ଅଞ୍ଚଳରେ ଅଧିକ ସୁଚାରୁ ଭାବେ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିବ ।
ଏହି ନୂତନ ସବ୍ଷ୍ଟେସନ୍ ଯୋଗୁଁ ଗୁନ୍ଦୁଳିଆ, ଶଗଡ଼ା, ଆମ୍ବାଝରୀ ଓ ଗୋଛାପଡ଼ା ଆଦି ଚାରୋଟି ଗ୍ରାମ ପଞ୍ଚାୟତର ପ୍ରାୟ ୫,୦୦୦ ଉପଭୋକ୍ତା ଉପକୃତ ହେବେ । ଉପଭୋକ୍ତାଙ୍କ ନିକଟରେ ଭରସାଯୋଗ୍ୟ ବିଜୁଳି ସେବା ପହଞ୍ଚିବା ଦ୍ୱାରା ଭୋଲ୍ଟେଜ୍ ସମସ୍ୟା ହ୍ରାସ ପାଇବା ସହ ଫିଡର୍ରେ ଦେଖାଦେଉଥିବା ତ୍ରୁଟି ଯୋଗୁଁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବାର ପ୍ରଭାବ କମିବ । ଫଳରେ ଘରୋଇ ଉପଭୋକ୍ତା, କୃଷି କାର୍ଯ୍ୟ, ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ଅତ୍ୟାବଶ୍ୟକ ସାମଗ୍ରିକ ସେବା ପାଇଁ ଅଧିକ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହୋଇପାରିବ ।
ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି “ଗୁନ୍ଦୁଳିଆ ପ୍ରାଥମିକ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ ହେବା ଦକ୍ଷିଣ ଓଡ଼ିଶାରେ, ବିଶେଷକରି ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳରେ ବିଦ୍ୟୁତ ବଣ୍ଟନ ନେଟୱର୍କକୁ ସୁଦୃଢ଼ କରିବା ଦିଗରେ ଆମର ନିରନ୍ତର ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ । ୧୦ ଏମ୍ଭିଏ କ୍ଷମତାର ଟ୍ରାନ୍ସଫର୍ମର ଏବଂ ଚାରୋଟି ସ୍ୱତନ୍ତ୍ର ୧୧ କେଭି ଫିଡର୍ ସହ ଏହି ସବ୍ଷ୍ଟେସନ୍ ଆମର କାର୍ଯ୍ୟକ୍ଷମତାକୁ ଆହୁରି ବଢ଼ାଇବା ସହ ପ୍ରାୟ ୫,୦୦୦ ଉପଭୋକ୍ତାଙ୍କୁ ଉନ୍ନତମାନର ଓ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବ । ଅଞ୍ଚଳର ବିକାଶକୁ ଗତି ଦେବା, ଉପଭୋକ୍ତାଙ୍କ ଅଭିଜ୍ଞତାରେ ଉନ୍ନତି ଆଣିବା ଏବଂ ଆମେ ସେବା ଯୋଗାଉଥିବା ଅଞ୍ଚଳର ସାମଗ୍ରିକ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବା ଭଳି ଦୃଢ଼ ଭିତ୍ତିଭୂମି ବିକାଶ ଉପରେ ଆମେ ସର୍ବଦା ଗୁରୁତ୍ୱ ଦେଉଛୁ ।”
ଗୁନ୍ଦୁଳିଆ ପ୍ରାଥମିକ ସବ୍ଷ୍ଟେସନ୍ର କାର୍ଯ୍ୟକ୍ଷମତା ଟିପିଏସ୍ଓଡିଏଲ୍ର ବିଦ୍ୟୁତ ବଣ୍ଟନ ଭିତ୍ତିଭୂମିର ଆଧୁନିକୀକରଣ ଓ ସମ୍ପ୍ରସାରଣ ଦିଗରେ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି । ଯୋଜନାବଦ୍ଧ ପୁଞ୍ଜିନିବେଶ ଓ ଆଧୁନିକ ଜ୍ଞାନକୌଶଳ ଆଧାରିତ ପଦକ୍ଷେପ ମାଧ୍ୟମରେ କମ୍ପାନୀ ନିଜର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଅଧିକ ଉନ୍ନତ କରୁଛି । ତୃଣମୂଳ ସ୍ତରରେ ବିଦ୍ୟୁତ ନେଟୱର୍କକୁ ସୁଦୃଢ଼ କରିବା ସହ ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲାରେ ନିଜର କାର୍ଯ୍ୟକ୍ଷେତ୍ର ଅଧୀନରେ ଥିବା ପ୍ରତ୍ୟେକ ଉପଭୋକ୍ତାଙ୍କୁ ସୁରକ୍ଷିତ, ନିରବଚ୍ଛିନ୍ନ ଓ ଉନ୍ନତମାନର ବିଦ୍ୟୁତ ଯୋଗାଣ କରିବାକୁ କମ୍ପାନୀ ପ୍ରତିବଦ୍ଧ ।

