ସୁବର୍ଣ୍ଣପୁର ,(୧୪/୦୮): ସୋନପୁର – ବିନିକା- ରାମପୁର – ଡୁଙ୍ଗୁରିପାଲି ଜାତୀୟ ରାଜପଥ ୧୨୬(ଏ) ବିନିକା ଥାନ ଡଭଲା ଛକରେ ଗତକାଲି ଏକ ୧୬ ଚକିଆ ଲୁହା ସାମଗ୍ରୀ ବୋଝେଇ ଟ୍ରକ ଡିଭାଇଡର ରେ ବାଡ଼ାଇ ହୋଇ ଭାରସାମ୍ୟ ହରାଇ ରାସ୍ତାରେ ଡାହାଣ ପାର୍ଶ୍ୱରେ ଓଲଟି ଯାଇଥିଲା, ଆଜି ପୁଣି ଏକ କବାଡି ସାମଗ୍ରୀ ବୋଝେଇ ହୋଇଥିବା ୧୪ ଚକିଆ ଟ୍ରକ ଡିଭାଇଡରରେ ବାଡ଼ାଇ ହୋଇ ରାସ୍ତାର ବାମ ପାର୍ଶ୍ଵରର ଓଲଟି ଯାଇଛି l
ଫଳରେ ଟ୍ରକ ଚାଳକ ଗୁରୁତର ହୋଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେଦ୍ରାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଅବସ୍ଥା ଗୁରୁତ୍ୱ ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ସୁବର୍ଣ୍ଣପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନାରୁ ପ୍ରକାଶ ଯେ,କବାଡି ସାମଗ୍ରୀ ବୋଝେଇ ଟ୍ରକଟି କଟକ ରୁ ଛତିଶଗଡ ରାୟପୁର କୁ ଯାଉଥିଲା l ଡଭଲା ଛକ ନିକଟରେ ଝିପି ଝିପି ବର୍ଷା ଯୋଗୁଁ ଡ୍ରାଇଭର ଡିଭାଇଡର କୁ ଦେଖି ନପାରି ପ୍ରଥମେ ଡିଭାଇଡର ରେ ବାଡ଼ାଇ ହୋଇଥିଲା l ତାପରେ ଭାରସାମ୍ୟ ହରାଇ ଟ୍ରକ ଟି ରାସ୍ତାର ବାମ ପାର୍ଶ୍ୱରେ ଓଲଟି ଯାଇ ରାସ୍ତା ଅବରୋଧ କରିଥିଲା l ଟ୍ରକର ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଡ୍ରାଇଭରଙ୍କୁ ଗୁରୁତ୍ୱ ଆଘାତ ଲାଗିଛି ତେଣୁ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯିବାରୁ ସେଠାରେ ତାଙ୍କର ଚିକିତ୍ସା ଚାଲିଛି l ଦୁଇ ଦିନରେ ଲଗାତାର ଦୁଇଟି ଦୁର୍ଘଟଣା ହୋଇ ରାସ୍ତା ଜାମ ରହିଛି, ଫଳରେ ଗାଡି ମୋଟର ଯିବା ଆସିବାରେ ବାଧା ପ୍ରାପ୍ତ ହେଉଛି l ବ୍ୟସ୍ତବହୁଳ ରାସ୍ତାଟି ରାମପୁର ପଟରୁ ଏବଂ ବିନିକା ପଟରୁ ଯୋଗେଶ୍ୱର ମନ୍ଦିର ଠାରୁ ଏକ ଥାକିଆ ହୋଇ ଆସିଥିବା ବେଳେ ଡଭଲା ଛକ ନିକଟରେ ଦୁଇ ଥାକିଆ ହୋଇଛି ଏବଂ ରାସ୍ତା ମଝିରେ ନିର୍ମିତ ହୋଇଛି ଡିଭାଇଡର l ଡିଭାଇଡର କେଉଁଠି ଆରମ୍ଭ ଓ କେଉଁଠି ଶେଷ ସେନେଇ କୌଣସି ଆଖିଦୃଶିଆ ସଂକେତ କିମ୍ବା ସୂଚନା ଫଳକ ନାହିଁ l ଡିଭାଇଡର ରେ କିଛି କିଛି ଦୂର ବ୍ୟବଧାନରେ ସୋଲାର ଲାଇଟ ଲାଗିଥିଲେ ମଧ୍ୟ ଡଭଲା କେତେକ ସ୍ଥାନରେ ଲାଇଟ ଆଜି ପର୍ଯ୍ୟନ୍ତ ଲାଗିନାହିଁ l
ସେହିପରି ଉକ୍ତ ରାସ୍ତାଟି କେଉଁଠି ଓସାରିଆ ତ କେଉଁଠି ଅଣଓସାରିଆ ହୋଇଛି, କୌଣସି ଜାଗାରେ ଠିକ ଭାବେ ସୂଚନା ଫଳକ କିମ୍ବା ରାସ୍ତା ପାରିହେବା ପାଇଁ ଜେବ୍ରା କ୍ରସିଂ ଚି଼ହ୍ନ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି l ଏଇ ଅଳ୍ପଦିନ ମଧ୍ୟରେ ଏକ ଡ୍ରମ୍ଫର, ଏକ ସିମେଣ୍ଟ ବୋଝେଇ ଟ୍ରକ, ଏକ ପାନପତ୍ର ବୋଝେଇ ମିନିଟ୍ରକ, ଏକ ୧୬ ଚକିଆ ଟ୍ରକ, ଗତକାଲି ଏକ ୧୬ ଚକିଆ ଲୁହା ବୋଝେଇ ଟ୍ରକ ଏବଂ ଆଜି ପୁଣି ଏକ ୧୪ ଚକିଆ କବାଡି ସାମଗ୍ରୀ ବୋଝେଇ ଟ୍ରକ ଡିଭାଇଡର ଉପରକୁ ଚଢି ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏଇ ୩ ମାସ ମଧ୍ୟରେ ଏହି ଗୋଟିଏ ସ୍ଥାନରେ ହିଁ ୧୨ ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ସାରିଲାଣି l ଏମିତି ଅନେକ ଛୋଟ ବଡ଼ ଦୁର୍ଘଟଣା ହେଉଥିଲେ ହେଁ ଭଗବାନଙ୍କ ଦୟାରୁ କେବେ କାହାରି ଜୀବନ ଏପର୍ଯ୍ୟନ୍ତ ଯାଇନି l ଠିକାଦାର ମାନଙ୍କ ମନଇଚ୍ଛା ଓ ଅଧପନ୍ତରିଆ କାମ, ଏବଂ ନିମ୍ନମାନର କାମ ଯୋଗୁଁ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ବିନିକା ଏନଏସି ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ, ପ୍ରଶାସନର ନୀରବତା କୁ ଅଞ୍ଚଳବାସୀ ନିନ୍ଦା କରୁଛନ୍ତି l ବୋଧ ହୁଏ କିଛି ଲୋକଙ୍କ ଜୀବନ ଗଲାପରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ l ବର୍ତମାନ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ, ଉକ୍ତ ସ୍ଥାନ ରେ କୌଣସି ଅଶୁଭ ଆତ୍ମା (ଭୁତ, ପ୍ରେତ ) କିମ୍ବା କୌଣସି ଅଦୃଶ୍ୟ ଶକ୍ତି ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟିଛି l ଏହି ଅଞ୍ଚଳକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରିବା ସହିତ ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଜନସାଧାରଣ ଦାବୀ କରିଛନ୍ତି l ଖବର ପାଇ ବିନିକା ପୋଲିସ ଘଟଣା ସ୍ଥଳକୁ ପହଂଚି ରାସ୍ତା ଖାଲି କରିବା ସହ ଟ୍ରକକୁ ଜବତ କରି ତଦନ୍ତ ଜାରି ରି ରଖିଛି l

