କଟକ, (୧୧/୦୯) : ଆପ୍ର : କାମ୍ପା ଯୋଜନାରେ ବନୀକରଣ ପାଇଁ ଆସିଥିବା ସରକାରୀ ଅର୍ଥ ହଡ଼ପ । ଏହି ଅଭିଯୋଗରେ ଆଠଗଡ଼ ବନଖଣ୍ଡର ପୂର୍ବତନ ଫରେଷ୍ଟର ଆଶିଷ ନାଏକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଏବେ ସେ କଟକ ଡିଏଫ୍ଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜଣାପଡ଼ିଛି ।
୨୦୨୫-୨୬ ବର୍ଷରେ କାମ୍ପା ଯୋଜନାର ବନୀକରଣ ପ୍ରକଳ୍ପରେ ଅନିୟମିତତା ହୋଇଥିଲା । ଆଠଗଡ଼ ସଦର ସେକ୍ସନ ଅଧୀନ ଓରିଙ୍ଗା ସଂରକ୍ଷିତ ଜଙ୍ଗଲର କୁଲେଇଲୋ ବିଟ୍ ଓ ସଦର ବିଟ୍ରେ ଚାରା ରୋପଣ ପାଇଁ ଅର୍ଥ ଖର୍ଚ୍ଚ ଦର୍ଶାଯାଇଥିଲା । ବାସ୍ତବରେ ୧୧,୩୭୬ଟି ଚାରା ରୋପଣ କରାଯାଇ ନ ଥିଲା । ଚାରା ରୋପଣ ହୋଇଥିବା ଦର୍ଶାଇ ଜାଲ୍ ଓ ବଢ଼ାଇଚଢ଼ାଇ ବିଲ୍ ପ୍ରସ୍ତୁତ କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି । ଏହି ଉପାୟରେ ସରକାରୀ ତହବିଲରୁ ୭ ଲକ୍ଷ ୪୧ ହଜାର ୨୯୭ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଆଶିଷ ନାଏକଙ୍କ ବିରୋଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(a) ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪), ୩୧୬(୫) ଓ ୬୧(୨) ଲାଗିଛି । ଗିରଫ ପରେ ଅଭିଯୁକ୍ତଙ୍କୁ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି ।

