ବାଲେଶ୍ଵର, (୧୧/୧୦) : ଆପ୍ର : ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ । ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ରଣସାହି ପଞ୍ଚାୟତର ଜୟନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା ।
ପଞ୍ଚମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଦୀର୍ଘ ଦିନ ହେବ ଖେଳ ଛୁଟି ସମୟରେ ପଞ୍ଚମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ କ୍ଲାସରୁମକୁ ଡାକି ଅସାଦାଚରଣ ଓ ‘ବ୍ୟାଡ୍ ଟଚ୍’ କରିଆସୁଥିଲେ ଶିକ୍ଷକ। ଏ ସମ୍ପର୍କରେ ଛାତ୍ରୀଜଣକ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ, ଗ୍ରାମବାସୀ ଓ ଅଭିଭାବକମାନେ ବାରମ୍ବାର ଏହାକୁ ନେଇ ପ୍ରତିବାଦ କରିଥିଲେ । ମାତ୍ର ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।
ପୁଣି ଖେଳ ଛୁଟି ସମୟରେ ଶିକ୍ଷକ ଜଣକ ପୁଣି ସମାନ କାଣ୍ଡ ଭିଆଉଥିବା ବେଳେ, ଗ୍ରାମବାସୀ ଓ ଅଭିଭାବକମାନେ ତାଙ୍କୁ ରେଡ୍ହାଣ୍ଡେଡ୍ ଧରିଥିଲେ । ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ନିରଧୁମ ଛେଚିବା ପରେ ଚାନ୍ଦିପୁର ଥାନା ପୋଲିସକୁ ଜିମା ଦେଇଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଅଭିଭାବକଙ୍କ ଏତଲା ଭିତ୍ତିରେ ଶିକ୍ଷକ ଙ୍କୁ ଗିରଫ କରାଯାଇଛି । ନାବାଳିକା ଯୌନ ନିର୍ଯାତନା ମାମଲା ହୋଇଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ (POCSO) ଆଇନ ଅଧୀନରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ନିଲମ୍ବନ ପାଇଁ ଦାବି ଜୋର୍ ଧରିଛି ।

