Homelocalଗୁଣୁପୁରରେ ସାର କଳାବଜାରୀ ରୋକିବାକୁ କଡ଼ା ପ୍ରବର୍ତ୍ତନ, ହୋଲସେଲରଙ୍କ ମଜୁତ ଓ ବିକ୍ରୟ ରେକର୍ଡ ଯାଞ୍ଚ

ଗୁଣୁପୁରରେ ସାର କଳାବଜାରୀ ରୋକିବାକୁ କଡ଼ା ପ୍ରବର୍ତ୍ତନ, ହୋଲସେଲରଙ୍କ ମଜୁତ ଓ ବିକ୍ରୟ ରେକର୍ଡ ଯାଞ୍ଚ

ଗୁଣୁପୁର, (୯/୮) : ଆପ୍ର : ଖରିଫ ଋତୁରେ କୃଷକ ମାନଙ୍କୁ ନିରବଚ୍ଛିନ୍ନ ଭାବରେ ସାର ଯୋଗାଣ ସୁନିଶ୍ଚିତ କରିବା ଏବଂ କଳାବଜାରୀ, ମଜୁତଦାରୀ ଓ ଅଧିକ ଦରରେ ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ଆଜି ଗୁଣୁପୁର ବ୍ଲକର ବିଭିନ୍ନ ବେସରକାରୀ ସାର ହୋଲସେଲ ପ୍ରତିଷ୍ଠାନରେ ବ୍ୟାପକ ପ୍ରବର୍ତ୍ତନ (Enforcement) ଓ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି ଯାଞ୍ଚ ଦଳର ନେତୃତ୍ୱ ନେଇଥିଲେ ରାୟଗଡା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ (CDAO) । ତାଙ୍କ ସହିତ ଗୁଣୁପୁର ବ୍ଲକ କୃଷି ଅଧିକାରୀ (BAO) ଏବଂ ସହକାରୀ କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ । ଯାଞ୍ଚ ସମୟରେ ହୋଲସେଲ ବ୍ୟବସାୟୀମାନଙ୍କର ସାର ମଜୁତ, ଷ୍ଟକ୍ ରେଜିଷ୍ଟର, ବିକ୍ରୟ ରେକର୍ଡ, ବିଲ୍ ଓ ଅନ୍ୟାନ୍ୟ ସମ୍ପର୍କିତ ଦସ୍ତାବିଜଗୁଡ଼ିକୁ ଖତିଆନ କରାଯାଇଥିଲା । ମଜୁତ ଥିବା ସାରର ପରିମାଣ ସହ ରେକର୍ଡର ସଠିକତା ଯାଞ୍ଚ କରାଯିବା ସହିତ କୃଷକମାନଙ୍କୁ ସରକାରୀ ନିର୍ଦ୍ଧାରିତ ଦରରେ ସାର ବିକ୍ରୟ କରାଯାଉଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ତଦାରଖ କରାଯାଇଥିଲା ।ସାର

ଏହି ଅବସରରେ ରାୟଗଡା CDAO ବ୍ୟବସାୟୀମାନଙ୍କୁ କଡ଼ା ସତର୍କବାଣୀ ଦେଇ କହିଥିଲେ ଯେ, ସାରର କୃତ୍ରିମ ଅଭାବ ସୃଷ୍ଟି, ମଜୁତଦାରୀ, କଳାବଜାରୀ କିମ୍ବା ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରୟ ଭଳି ଅନିୟମିତତା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । କୃଷକମାନଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଇ ସ୍ୱଚ୍ଛ ଏବଂ ନ୍ୟାୟସଙ୍ଗତ ବଣ୍ଟନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ, କୃଷକମାନେ ସରକାରଙ୍କ ଅନୁଦାନପ୍ରାପ୍ତ ସାରର ପ୍ରକୃତ ଲାଭ ପାଇବା ଆବଶ୍ୟକ । ତେଣୁ ସାର ବିକ୍ରୟ ସମୟରେ ସମସ୍ତ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବା ସହ ପ୍ରତ୍ୟେକ ବିକ୍ରୟର ସଠିକ ରେକର୍ଡ ସଂରକ୍ଷଣ କରିବାକୁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, କୃଷକମାନଙ୍କୁ ଠିକ ସମୟରେ ଓ ନିର୍ଦ୍ଧାରିତ ଦରରେ ସାର ଉପଲବ୍ଧ କରାଇବା ପାଇଁ ଏପରି ଆକସ୍ମିକ ଯାଞ୍ଚ ଓ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ରାଜ୍ୟ ସରକାର ମଧ୍ୟ ସାରର ନ୍ୟାୟସଙ୍ଗତ ବଣ୍ଟନ ଏବଂ କଳାବଜାରୀ ରୋକିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଆସୁଛନ୍ତି । ଏହି ପ୍ରବର୍ତ୍ତନ କାର୍ଯ୍ୟକ୍ରମ ମାଧ୍ୟମରେ ଗୁଣୁପୁର ଅଞ୍ଚଳର କୃଷକମାନଙ୍କୁ ନିର୍ଭରଯୋଗ୍ୟ ଏବଂ ସ୍ୱଚ୍ଛ ସାର ବଣ୍ଟନ ବ୍ୟବସ୍ଥା ପ୍ରଦାନ କରିବା ସହିତ କୃଷକ ସ୍ୱାର୍ଥର ସୁରକ୍ଷା ଦିଗରେ କୃଷି ବିଭାଗର ପ୍ରତିବଦ୍ଧତା ପୁନର୍ବ୍ୟକ୍ତ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments