ଭୁବନେଶ୍ବର, (୧୧/୦୭) : ଆପ୍ର : ଅବକାରୀ ଟିମ୍ ପଞ୍ଝାରେ ଗଞ୍ଜେଇ ବେପାରୀ । ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ । ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବାବେଳେ ମାଡ଼ିବସିଲା ଅବକାରୀ ବିଭାଗ ।
ଭୁବନେଶ୍ବରରୁ କୋଲକାତା ଚାଲାଣ ହେଉଥିବା ୬ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ତମଣ୍ଡା ଅଞ୍ଚଳରୁ ଏହି ଗଞ୍ଜେଇ ଭର୍ତ୍ତି ଟ୍ରକଟି ବାହାରିଥିଲା । ଖବର ପାଇ ଅବକାରୀ ବିଭାଗର ଟିମ୍ ଗାଡ଼ିଟିକୁ ପିଛା କରିଥିଲେ ଏବଂ ଶେଷରେ ଅଚାର୍ଯ୍ୟ ବିହାର ନିକଟରେ କଣ୍ଟେନରକୁ ଧରିବାରେ ସଫଳ ହୋଇଥିଲେ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ।
କଣ୍ଟେନର ଭିତରେ ଗଞ୍ଜେଇକୁ ବିଭିନ୍ନ ପ୍ୟାକେଟରେ ଭର୍ତ୍ତି କରାଯାଇଥିଲା, ଯେଉଁଥିରେ ଗୋଟିଏ ବସ୍ତାରେ ୨୫ କେଜି ଓ ଗୋଟିଏ ପ୍ୟାକେଟରେ ୧ କେଜି ଲେଖାଏଁ ଗଞ୍ଜେଇ ରହିଥିଲା । ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରାଜ୍ୟ ବାହାରକୁ ଏତେ ବଡ଼ ପରିମାଣର ଗଞ୍ଜେଇ ଚାଲାଣ ପଛରେ କାହାର ହାତ ଅଛି ଓ ଏହି ନେଟୱାର୍କ କେତେ ବଡ଼, ସେ ନେଇ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

