କୋରାପୁଟ, (୧୨/୦୭) : ଆପ୍ର : ବିଳମ୍ବିତ ରାତିରେ ଭାରତମାଳା ଓଭର ବ୍ରିଜ୍ ନିକଟରେ ଘଟିଛି ଭୟାବହ ସଡ଼କ ଦୁର୍ଘଟଣା । ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।
ମୃତକ ଦୁଇ ଜଣ ହେଲେ ମାଛରା ଗାଁ’ର ଜହନ କୁଲଦୀପ(୨୦) ଏବଂ ନର୍ସିଂ ନାଉରୀୟା(୩୪) ବୋଲି ଜଣାପଡ଼ିଛି । ସେହିପରି ମୋହଦେଇପୁଟ ଗାଁ’ର ମାଧବ ଗୁଣ୍ଠା (୨୮) ଗୁରୁତର ଆହତ ହୋଇ ଏସ ଏଲ ଏନ୍ ସି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣାଟି ମଧ୍ୟରାତ୍ରରେ ଘଟିଥିବାରୁ ପ୍ରଥମେ କେହି ଏହାର ସୂଚନା ପାଇପାରି ନଥିଲେ । ତେବେ ଆହତ ଯୁବକ ଫୋନ୍ ଯୋଗେ ନିଜ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ।
ଖବର ପାଇ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ନର୍ସିଂ ଓ ଜହନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇସାରିଥିଲା । ଆହତ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଥିଲା । ଏନେଇ କୋରାପୁଟ ସଦର ପୋଲିସ ସୂଚନା ପାଇ ଥାନା ଅଧିକାରୀ ରୁନୁ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ପହଞ୍ଚିଥିଲେ। ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି । ଏହା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକ୍ ଜବତ କରିଛି । ବ୍ୟବଚ୍ଛେଦ ପରେ ମୃତଦେହ ଦୁଇଟି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ରହିଛି ।

