ଭୁବନେଶ୍ୱର, (୨୫/୧୧) : ଆପ୍ର : ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ୁଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ତଳକୁ ଖସିଛି ।
ଆଜି ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଝାରସୁଗୁଡ଼ାରେ ସର୍ବନିମ୍ନ ୧୫.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଝାରସୁଗୁଡ଼ା ଓ ଦେବଗଡ଼। ଉଭୟ ସ୍ଥାନରେ ସମାନ ଭାବେ ୧୫.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି, ଯାହା ରାଜ୍ୟର ସର୍ବନିମ୍ନ ତାପମାତ୍ରା ଅଟେ ।
ସେହିପରି କୋରାପୁଟରେ ୧୬.୪ ଡିଗ୍ରୀ, ରାଉରକେଲାରେ ୧୬.୫ ଡିଗ୍ରୀ, କଟକରେ ୧୮.୬ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୨୧.୩ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ସକାଳ ସମୟରେ କୁହୁଡ଼ି ଦେଖାଯିବା ସହ ସର୍ବନିମ୍ନ ତାପମାତ୍ରା ୧୫ ରୁ ୧୬ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ଅଛି ।

