ରାୟଗଡା, (୦୨/୦୭) : ଆପ୍ର : ରାୟଗଡା ସହରସ୍ଥିତ ଚିକିତ୍ସକ ମାନଙ୍କୁ ସମ୍ବର୍ଦ୍ଧନା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ କୋର୍ଟ ପରିସରରେ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର ଅବସରରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଏମ୍. ସୁରେଶ କୁମାର, ସର୍ଜନ ଡା. ଉତ୍କଳ କୁମାର ପଣ୍ଡା, ଫିଜିଓଥେରାପିଷ୍ଟ ଡା. ଟି. ଦାମୋଦର ଚାନ୍ଦ ଏବଂ ସାଇପ୍ରିୟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ସୁଚିସ୍ମିତା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୱାକର୍ସ କ୍ଲବର ସଭାପତି ୱାକର୍ ଜୟକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଓ ୱାକର୍ ବନ୍ଧୁ, ଏବଂ ବରିଷ୍ଠ ସଦସ୍ୟ, ପରାମର୍ଶଦାତା କମିଟିଙ୍କ ପରାମର୍ଶରେ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା । କ୍ଲବର ପ୍ରତିଷ୍ଠାତା ସଭାପତି ସୁବାସ ବେହେରା ସ୍ୱାଗତ ଭାଷଣରୁ ସଭା ଶୁଭାରମ୍ଭ ହୋଇଥିଲା । ସଭାପତି ଜୟକୃଷ୍ଣ ପ୍ରଧାନ ସଭାର ଅଧ୍ୟକ୍ଷତା କରିବା ସହିତ ସମସ୍ତ ଚିକିତ୍ସକଙ୍କୁ କ୍ଲବର ବରିଷ୍ଠ ସଦସ୍ୟ ଏବଂ ମହିଳା ସଦସ୍ୟା ମାନେ ଉତ୍ତରୀୟ ପରିଧାନ କରିବା ସହ ବୃକ୍ଷଚାରା ପ୍ରଦାନ କରି ସମ୍ମାନିତ କରିଥିଲେ ।
ସମ୍ମାନିତ ଚିକିତ୍ସକମାନେ ନିଜ ବକ୍ତବ୍ୟରେ ସୁସ୍ଥ, ସୁନ୍ଦର ଓ ସୁଖମୟ ଜୀବନଯାପନ ପାଇଁ ସ୍ୱାସ୍ଥ୍ୟ ସଚେତନତା, ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଏବଂ ସକାରାତ୍ମକ ଜୀବନଶୈଳୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ବକ୍ତାମାନେ ମଧ୍ୟ ଡାକ୍ତରମାନଙ୍କର ନିଷ୍ଠା, ତ୍ୟାଗ, ନିରନ୍ତର ସେବା ଓ ମାନବିକତାର ଉଚ୍ଚ ପ୍ରଶଂସା କରି ସେମାନଙ୍କୁ ମାନବ ସମାଜର “ଦ୍ୱିତୀୟ ଭଗବାନ” ବୋଲି ଅଭିହିତ କରିଥିଲେ ।
ଏହି ଅବସରରେ କ୍ଲବର ପ୍ରିୟ ଭୀଷ୍ମ ପିତାମହ ତଥା ପୂର୍ବତନ ମୁଖ୍ୟ ପରାମର୍ଶଦାତା ସ୍ୱର୍ଗତ ଦେବରାଜ ପଣ୍ଡାଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସମସ୍ତ ଚିକିତ୍ସକ ଓ କ୍ଲବ ସଦସ୍ୟମାନେ ପରିସର ମଧ୍ୟରେ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପ୍ରତି ନିଜର ସଂକଳ୍ପକୁ ପୁନର୍ବ୍ୟକ୍ତ କରିଥିଲେ । ଶେଷରେ କ୍ଲବର ସାଧାରଣ ସମ୍ପାଦକ ୱାକର୍ ଜଗନ୍ନାଥ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପରେ କ୍ଲବର ସମସ୍ତ ସଦସ୍ୟ ସାଇପ୍ରିୟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଡାକ୍ତର ଦିବସର ଶୁଭେଚ୍ଛା ଜଣାଇଥିଲେ ।
ସେହିପରି ବରିଷ୍ଠ ନାଗରିକ ଓ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ନିରନ୍ତର ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ଅନୁରୋଧ କରିବା ସହିତ ଯେକୌଣସି ଜନହିତକର ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ସାଇପ୍ରିୟା ୱାକର୍ସ କ୍ଲବ ସଦା ସର୍ବଦା ସହଯୋଗର ହାତ ବଢ଼ାଇବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟି ଡାକ୍ତର ସମାଜ ପ୍ରତି କୃତଜ୍ଞତା, ମାନବସେବା ପ୍ରତି ସମ୍ମାନ ଏବଂ ପରିବେଶ ସୁରକ୍ଷାର ଏକ ସୁନ୍ଦର ସମନ୍ୱୟର ଉଜ୍ଜ୍ୱଳ ନିଦର୍ଶନ ପାଲଟିଥିଲା ।

