ଭାରତ ବନ୍ଦ କୁ ସଫଳ କରିବାକୁ କିସାନ ମୋର୍ଚ୍ଚା ଓ ଅନେକ ସଂଗଠନର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

0
179

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୬/୦୯) : ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦ କୁ ବଲାଙ୍ଗୀର ରେ ସଫଳ କରିବା ପାଇଁ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ଆହ୍ୱାନ କରାଯାଇଛି । ସହରର ସମସ୍ତ ଛୋଟ ବଡ ସଂଗଠନ ଏହି ବନ୍ଦରେ ତାଙ୍କର ସମର୍ଥନ ପ୍ରଦାନ କରିଛନ୍ତି ।

ଭାରତ ବନ୍ଦ କୁ ସମସ୍ତଙ୍କ ସମର୍ଥନ କ୍ରମେ ସୋମବାର ଦିନ ଜିଲ୍ଲାରେ ଅଖଚକ, ଦୋକାନ, ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ ଅନୁଷ୍ଠାନ ୧୨ ଘଣ୍ଟା କାଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ ଏହି ବନ୍ଦରେ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଓ ସେବାକୁ ବାଦ ଦିଆଯିବ ବୋଲି ସ୍ଥାନୀୟ ଯାଦବ ଭବନ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ କୁହାଯାଇଛି । ତିନି କଳା କୃଷି ଆଇନକୁ ଗତ ୯ ମାସ ହେଲା ଚାଷୀକୁଳ ତୀବ୍ର ବିରୋଧ କରିବା ସହ ଏହାକୁ ଫେରାଇ ନେବା ପାଇଁ ଆନ୍ଦୋଳନ ଜାରି ରଖିଛି । କେନ୍ଦ୍ରୀୟ କିସାନ ସଂଗଠନ ଏହା ବିରୋଧରେ ଆସନ୍ତା ୨୭ରେ ଭାରତ ବନ୍ଦର ଡାକରା ଦେଇଛି । ବଲାଙ୍ଗିର ଜିଲ୍ଲାରେ ଏହି ବନ୍ଦକୁ ଜୋରଦାର ଭାବେ ପାଳନ କରିବାକୁ ସଂଯୁକ୍ତ କିସାନ ମୋର୍ଚ୍ଚା ଅଣ୍ଟା ଭିଡିଛି ।

ଆସନ୍ତାକାଲି ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରାଯାଇ ଜନସାଧାରଣଙ୍କ ସମର୍ଥନ ଲୋଡାଯିବ । ସେହିପରି ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକରେ ମଧ୍ୟ ବିଭିନ୍ନ ସଂଗଠନ କୁ ବନ୍ଦକୁ ସମର୍ଥନ ଜଣାଇବା ପାଇଁ ଅନୁରୋଧ କରାଯାଇଛି । ଏ ନେଇ ସମସ୍ତଙ୍କ ସମର୍ଥନ କ୍ରମେ ଜିଲ୍ଲାକୁ ୧୨ ଘଣ୍ଟା ପାଇଁ ସଂପୁର୍ଣ୍ଣ ବନ୍ଦ କରାଯିବ ବୋଲି ସଂଯୁକ୍ତ ମୋର୍ଚ୍ଚା ସୂଚନା ଦେଇଛି ।