ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକଡାଉନ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

0
164

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୮/୦୯) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକଡାଉନ |

ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ପରିଲକ୍ଷିତ ହେଲେ ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ କେତେକ କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସୁଛି । ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ନମୂନା ସଂଗ୍ରହ କରୁଥିବା ଟିମ୍ ମାନଙ୍କୁ କୋଭିଡ ନିୟମ ସଂପର୍କରେ ବାରମ୍ବାର ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛି । ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗକୁ ପାର୍ବଣ ଋତୁ ଆସୁଛି । କେରଳରେ ଓନାମ୍ ପର୍ବ ପାଳନ ପରେ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ପାର୍ବଣ ସମୟରେ ସମସ୍ତଙ୍କୁ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହାଦ୍ୱାରା ଆମେ ଭବିଷ୍ୟତରେ ଲକଡାଉନକୁ ଏଡାଇ ପାରିବା ଏବଂ ଲୋକଙ୍କ ଆର୍ଥିକ ଅବସ୍ଥାରେ କ୍ଷତି ହେବ ନାହିଁ ।

ପାର୍ବଣ ଋତୁ ସମୟରେ ଆମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲକଡାଉନ କୋହଳ କରାଯାଇଛି । କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ନିୟମ ପାଳନରେ ଢିଲା କରିବା । ତେଣୁ ଯଦି ଆବଶ୍ୟକ ପଡେ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଥରେ ଲକଡାଉନ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅନୁପାଳନ ଉପରେ ଗୁରୁତ୍ୱ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା ରଖିଥିଲେ । ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମଧ୍ୟ କୋଭିଡ ନିୟମ ଅନୁପାଳନ ଉପରେ ପୋଲିସର ପଦକ୍ଷେପ ଉପରେ ସୂଚନା ଦେଇଥିଲେ ।

ବି.ଏମ୍.ସି ଏବଂ ସି.ଏମ୍.ସିର କମିଶନର, ଦେବଗଡ ଓ ପୁରୀର ଜିଲ୍ଲାପାଳମାନେ ସେମାନଙ୍କ ଅଞ୍ଚଳର ପରିସ୍ଥିତି ଉପରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।