‘ଅନ୍ତର୍ଜାତୀୟ ଉଡ଼ାନ୍’ ଯୋଜନା ଆରମ୍ଭ କରିବାକୁ ଯାଉଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

0
305

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୯/୦୮) : ଖୁବଶୀଘ୍ର ବିଦେଶକୁ ବିମାନ ଉଡ଼ାଣ ପାଇଁ ‘ଅନ୍ତର୍ଜାତୀୟ ଉଡ଼ାନ୍’ ଯୋଜନା ଆରମ୍ଭ କରିବାକୁ ଯାଉଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏଥିରେ ଭୁବନେଶ୍ୱରରୁ ୭ଟି ରୁଟ୍‌ ଯଥା ଦୁବାଇ, ଆବୁଧାବି, ବ୍ୟାଙ୍କକ୍, କ୍ବାଲାଲମ୍ପୁର, କଲୋମ୍ବୋ, ସିଙ୍ଗାପୁର, କାଠମାଣ୍ଡୁକୁ ବିମାନ ଉଡ଼ାଣ ପାଇଁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

କିନ୍ତୁ ସର୍ତ୍ତ ରଖିଛି ଯେ, ‘ଅନ୍ତର୍ଜାତୀୟ ଉଡ଼ାନ୍’ ଯୋଜନା ରେ ରାଜ୍ୟ ସରକାର ବିମାନ କମ୍ପାନିକୁ ୧୦୦% ଭାଏବଲ୍ ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍‌) ବା ସବ୍‌ସିଡି ଦେଲେ ହିଁ ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ବିଡିଂ ହେବ। ଏହି ସବ୍‌ସିଡି ପ୍ରଦାନ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏହି ପ୍ରସ୍ତାବ ପରେ ଏବେ ଭୁବନେଶ୍ବରରୁ ବିଭିନ୍ନ ଦେଶକୁ ବିମାନ ଉଡ଼ାଣ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ହେଲେ ରାଜ୍ୟ ସରକାର କେତେ ଅର୍ଥ ଦେଇପାରିବେ ତାହା ଉପରେ ସବୁ ନିର୍ଭର କରୁଛି । କାରଣ ପୂର୍ବରୁ ଏହି ଭିଜିଏଫ୍ ବା ସବ୍‌ସିଡି ଦେଇ ରାଜ୍ୟ ସରକାର ଭୁବନେଶ୍ୱରରୁ କ୍ବାଲାଲମ୍ପୁରକୁ ବିମାନ ଉଡ଼ାଣ କରିବାରେ ସକ୍ଷମ ହୋଇଥିଲେ । ସବ୍‌ସିଡି ଦେଲେନି ବୋଲି ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆ ଓ ଏୟାର ଏସିଆ ବିମାନ ଉଡ଼ାଣ କରିଥିଲେ ହେଁ ତାହା କିଛି ମାସରେ ବନ୍ଦ ହୋଇଯାଇଥିଲା । ତେଣୁ ରାଜ୍ୟ ସରକାର କେଉଁ ରୁଟ୍‌ ପାଇଁ ‌କେତେ ସବ୍‌ସିଡି ଦେବାକୁ ରାଜି ହେଉଛନ୍ତି ତାହାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।

ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ରାଜ୍ୟ ସରକାର ଭିଜିଏଫ୍ ଦେଇ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିଥିଲେ । ଆମର ଏନେଇ ଅଭିଜ୍ଞତା ରହିଛି । ଯଦି ଆମେ ବିଦେଶକୁ ବିମାନ ଉଡ଼ାଣ ପାଇଁ ଶତ ପ୍ରତିଶତ ଭିଜିଏଫ୍ ଦେବୁ ତେବେ ଆମେ କାହିଁକି ମନ୍ତ୍ରଣାଳୟ ପକ୍ଷରୁ ହେବାକୁ ଥିବା ବିଡିଂରେ ଭାଗ ନେବୁ । ଆମେ ବିଡିଂ କଲେ ଏୟାରଲାଇନ୍ସ ସହ ଭିଜିଏଫ୍‌ ନେଇ ମୂଲଚାଲ କରିପାରିବୁ ।

ଏହାବାଦ୍ ଏୟାରଲାଇନ୍ସକୁ କେତେ କମ୍‌ ମାସ/ବର୍ଷ ଭିଜିଏଫ୍ ଦେବୁ ତାହା ସର୍ତ୍ତ ରଖିବୁ । ଭିଜିଏଫ୍‌ ବନ୍ଦ କଲେ ବି କେତେ ବର୍ଷ ବିମାନ ଉଡ଼ାଣ ବାଧାପ୍ରାପ୍ତ ହେବନି ତାହା ସର୍ତ୍ତ ରଖିପାରିବୁ । ‌ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କରିଥିବା ବିଡିଂରେ ଭାଗନେଲେ ଆମେ କେବଳ ଅର୍ଥ ଦେବୁ, ଆମର ବିମାନ ଉଡ଼ାଣ ସଂସ୍ଥା ଉପରେ କିଛି କର୍ତ୍ତୃତ୍ବ ରହିବନି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଏୟାର ଏସିଆ ବରହାଦ୍‌କୁ ୨୬.୪.୨୦୧୭ରୁ ୨୫.୦୪.୨୦୧୮ ମଧ୍ୟରେ ପ୍ରତି ରାଉଣ୍ଡ ଟ୍ରିପ୍ ପାଇଁ ୧ଲକ୍ଷ ୭୦ହଜାର ଟଙ୍କା ଦେଉଥି‌ଲେ । ଏହାପରେ ୨୬.୦୪.୨୦୧୮ରୁ ୨୫.୦୪.୨୦୧୯ ମଧ୍ୟରେ ୯୭,୫୦୦ଟଙ୍କା ଲେଖାଏଁ ରାଉଣ୍ଡ ଟ୍ରିପ୍ ପିଛା ଦେଇଥିଲେ । ଏହିପରି ୨୦୧୭-୧୮ରେ ୪କୋଟି ୪୩ଲକ୍ଷ ୭୦ହଜାର ଟଙ୍କା ଏବଂ ୨୦୧୮-୧୯ରେ ୨କୋଟି ୫୩ଲକ୍ଷ ୬ହଜାର ଟଙ୍କା ସବ୍‌ସିଡି ଦେଇଛନ୍ତି ।

କିନ୍ତୁ ୨୦୧୯-୨୦ରେ କୌଣସି ସବ୍‌ସିଡି ଦିଆଯାଇନି । ‌ଏହାପରେ ମାର୍ଚ୍ଚ, ୨୦୨୦ରୁ କରୋନା ପାଇଁ ବିମାନ ଉଡ଼ାଣ ବନ୍ଦ ରହିଛି । ଯେତେବେଳେ କି ୨୦୧୭ରେ କ୍ବାଲାଲମ୍ପୁରରୁ ଭୁବନେଶ୍ବରକୁ ୨୩,୧୬୪ଜଣ, ୨୦୧୮ରେ ୩୧,୬୯୭ଜଣ, ୨୦୧୯ରେ ୨୫,୫୨୩ଜଣ ଏବଂ ୨୦୨୦ରେ ତିନି ମାସରେ ୪୩୪୨ଜଣ ଯାତ୍ରୀ ଆସିଛନ୍ତି ।