ରିପୋର୍ଟ: ଓଡିଶା ନ୍ୟୁଜ୨୪-ବ୍ୟୁରୋ //
କଟକ (୧୩/୦୧): ଆଉ ନାହାନ୍ତି ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ। ଆଜି ଏସସିବି କୋଭିଡ୍ ହସ୍ପିଟାଲରେ ପ୍ରକାଶ ରାଓଙ୍କର ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ଥିବା ପ୍ରକାଶଙ୍କର କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା, ଯେଉଁକାରଣରୁ ଆଜି ଅପରାହ୍ନ ୪.୧୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଏ ନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ଗତ ଡିସେମ୍ବର ୨୫ ତାରିଖରେ ଡି. ପ୍ରକାଶ ରାଓ ପୁଣି ଅସୁସ୍ଥ ହୋଇଥିଲେ। ଯାହା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ହୋଇଥିବା କରୋନା ଟେଷ୍ଟରେ ପଜିଟିଭ୍ ଆସିଥିଲା। ପରେ ତାଙ୍କୁ ଏସସିବି କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହାଛଡ଼ା ତାଙ୍କର ବ୍ଲଡ୍ ସୁଗାର ଓ ବ୍ଲଡ୍ ପ୍ରେସର ମଧ୍ୟ ରହିଥିବାରୁ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା। ଏହାସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା।କିଛି ଦିନ ତଳେ ତାଙ୍କର କୋଭିଡ୍ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା। ଯାହା ପରେ ତାଙ୍କୁ ସେଣ୍ଟ୍ରାଲ୍ ଆଇସିୟୁକୁ ସ୍ଥାନାନ୍ତର କରାଯିବା ପାଇଁ ଯୋଜନା କରାଯାଇଥିଲା। ଏହା ପୂର୍ବରୁ ଆଜି ଆଖି ବୁଜିଛନ୍ତି ଡି. ରାଓ।

