ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପାଇକମାଳ (୧୦/୦୧): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଅଧୀନରେ ଥିବା ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ଡଳ ତରଫରୁ ଆଜି ଥାନା ଘେରାଉ ଡାକରା ଦିଆଯାଇଥିଲା। ଯଦ୍ୱାରା ଆଜି ପାଇକମାଲ ଖେଳ ପଡିଆ ଠାରୁ ଏକ ଶୋଭା ଯାତ୍ରାରେ ଭାରତୀୟ ଜନତା ପାର୍ଟିର ଶହ ଶହ ସଂଖ୍ୟା ରେ ମହିଳା ଓ ପୁରୁଷ ଥାନାକୁ ପହଞ୍ଚିଥିଲେ। ଥାନାରେ ପୋଲିସ ଅଧିକାରୀ ମାନଙ୍କ ସହ ଗେଟ୍ ଖୋଲିବା ନେଇ ତର୍କ ବିତର୍କ ଟଣା ଓଟରା ପରିସ୍ଥିତି ଦେଖା ଦେଇଥିଲା।
ଘଣ୍ଟା ଘଣ୍ଟା ଧରି ଅଚଳା ଅବସ୍ଥା ପରିସ୍ଥିତି ସୃଷ୍ଟି ଦେଖାଦେଇ ଉତ୍ତେଜନା ପ୍ରକାଶ ପାଇଥିଲା l ଖେଳପଡିଆରେ ବିଜେପି କର୍ମକର୍ତ୍ତା ମାନେ ବିଭିନ୍ନ ପୋଲିସ ବିରୋଧୀ ସ୍ଲୋଗାନ ଓ ନାରାବାଜି ଦେଇ ଥାନାକୁ ପହଞ୍ଚିଥିଲେ ।ଏଥିରେ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ନାରୀନେତ୍ରୀ ଜୋସ୍ନା ରାଣୀ କର, ଜିଲ୍ଲା ସଭାପତି ପ୍ରିତେଶ ବହିଦାର, ଜିଲ୍ଲା ପରିଷଦ ସଭ୍ୟ ରମେଳା ଲୁହାର ଓ କୁମୁଦିନୀ ସାହୁ, ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନିରୁପା ସିଂ, ସମିତି ସଭ୍ୟା ବବିତା ପ୍ରଧାନ, ମଣ୍ଡଳ ସଭାପତି କୈଲାସ ଦିଶ୍ରି, ଭିଷ୍ମଦେବ ସାହୁ, ସଞ୍ଜୟ ବେହେରା, ସୈାକିଲାଲ ସାହା ଓ କେତନ ମେହେର, ସରୋଜ ପାଣିଗ୍ରାହୀ, ରାଜୁ ତ୍ରିବେଦୀ, ବଳରାମ ସାହୁ ପ୍ରମୁଖ ଶହ ଶହ ସଂଖ୍ୟାରେ ଯୋଗ ଦେଇଥିଲେ। ଘଟଣାସ୍ଥଳକୁ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ,ପାଇକମାଳ ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ ପ୍ରମୁଖ ପହଞ୍ଚି ଘଟଣା ଉପରେ ଆନ୍ଦୋଳନ କାରୀଙ୍କୁ ଅବଗତ କରାଇବା ସହ ଆଜି ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ପ୍ରଦାନ କରି ଆପଣ ଜାଣିଯିବେ ବୋଲି କହିଥିଲେ। ଏହାପରେ ଆନ୍ଦୋଳନ କାରୀମାନେ ଆସାମୀକୁ ଗିରଫ କରି ଉଚିତ କାର୍ଯ୍ୟାନୁଷ୍ଠନ ଗ୍ରହଣ ନକଲେ ପୁଣି ତେଜିଆନ ଭାବେ ଆନ୍ଦୋଳନ ହେବ ବୋଲି ତିବ୍ରଭାବେ ଚେତାବନୀ ଦେଇଛନ୍ତି ବୋଲି ବିଶ୍ୱସ୍ତସୂତ୍ରରୁ ପ୍ରକାଶ |

